ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା କଲା କେନ୍ଦ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲଦାଖକୁ ମିଳିଛି ୫ ନୂଆ ଜିଲ୍ଲା। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଦାଖରେ ପାଞ୍ଚଟି ନୂଆ ଜିଲ୍ଲା ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଜନସ୍କର, ଡ୍ରାସ, ଶାମ, ନୁବ୍ରା, ଏବଂ ଚଙ୍ଗଥାଙ୍ଗ। ନୂଆ ଜିଲ୍ଲା ଗଠନ ହେବା ପରେ ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚିବାରେ ଉନ୍ନତି ଆସିବା ନେଇ ଆଶା କରାଯାଉଛି।

ତେବେ ଏହାକୁ ନେଇ ଗୃହ ମନ୍ତ୍ରାଳୟ କହିଛି, ଏହି ଜିଲ୍ଲାଗୁଡିକ ଗଠନ ଦ୍ବାରା ଲୋକଙ୍କୁ ସେବା ଯୋଗାଇବାରେ ସୁବିଧା ହେବ ଏବଂ ସେଠିକା ଜନସାଧାରଣ ସରକାରଙ୍କର ଅଧିକ ନିକଟତର ହେବେ । ମୋଦି ସରକାର ଲଦାଖ ଲୋକଙ୍‌କ ପାଇଁ  ବିପୁଳ ପରିମାଣର ସୁଯୋଗ ଯୋଗାଇଦେବାକୁ ଚାହାନ୍ତି ବୋଲି ନିଜ ଏକ୍ସରେ ଲେଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଲଦାଖ ପ୍ରଶାସନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ଦୁଇଟି ଜିଲ୍ଲା ଥିଲା। ତାହା ହେଉଛି ଲେହ ଏବଂ କାର୍ଗିଲ୍। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏଠାରେ ଆଉ ପାଞ୍ଚ ଜିଲ୍ଲା ଗଠନ ହେବାକୁ ଯାଉଛି। ଏପରି ହେଲେ ଲଦାଖରେ ସାତଟି ଜିଲ୍ଲା ରହିବ।

ଏହି ଘୋଷଣା କରି ଗୃହମନ୍ତ୍ରୀ ଶାହ କହିଛନ୍ତି, “ମୋଦି ସରକାର ଲଦାଖର ଲୋକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ।” ତେବେ ୨୦୧୯ର ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ ଦ୍ବାରା ପୂର୍ବ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଜାମ୍ମୁ କାଶ୍ମୀରର ଯାହାର ନିଜସ୍ୱ ବିଧାନସଭା ଅଛି ଏବଂ ଅନ୍ୟଟି ଲଦାଖ, ଯାହାର ବିଧାନସଭା ନାହିଁ ।

Leave A Reply

Your email address will not be published.