ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ପାଗ ବଦଳିବ । ଖରା କମିବ । ଗତ ଦୁଇ ଦିନ ହେଲା ୧୫ଟି ସହରରେ ଦିନର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ବେଳେ ଆଜି ୧୮ଟି ସହର ୩୫ ଡିଗ୍ରି ପାର୍ କରିଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୩ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱର ତାପମାତ୍ରା ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ପାଇ ତାଳଚେର ସହ ଯୁଗ୍ମ ଭାବେ ୩୬.୨ ଡିଗ୍ରିରେ ରହିଛି।
ଦିନବେଳା ସାମୁଦ୍ରିକ ପବନ ଥିବାରୁ ତାତି ପ୍ରକୋପ ଅଧିକ ଅନୁଭୂତ ହୋଇନଥିଲା । ଶୁକ୍ରବାରଠୁ ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବରୁ ପାଗ ବଦଳିବ । ଗୁରୁଚାପ ବଳୟ ଯୋଗୁ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହିବ । ଏହା ପଶ୍ଚିମ ପଟୁ ଆସୁଥିବା ଶୁଷ୍କ ପବନ ସଂସ୍ପର୍ଶରେ ଆସି ବର୍ଷା କରାଇବା ସମ୍ଭାବନା ଅଛି । ପାଣିପାଗ ବିଭାଗ କହିଛି, ଶୁକ୍ରବାର ଉପକୂଳ ଓଡ଼ିଶା ସହ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।
୨୩ ଓ ୨୪ ତାରିଖରେ ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୪ରୁ ୫ ଦିନ ଯାଏ ରାତି ତାପମାତ୍ରାରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ। ଦିନର ତାପମାତ୍ରା ସାମାନ୍ୟ ଏପାଖସେପାଖ ହେବାର ସମ୍ଭାବନା ରହିଛି।