ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସଫଳ ହେଉଛି ଚନ୍ଦ୍ରଯାନ-୩ ମିଶନ । ଧିରେ ଧିରେ ଚନ୍ଦ୍ର ଅଭିମୁଖେ ଯାଉଛି ଚନ୍ଦ୍ରଯାନ-୩ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଉଚ୍ଚାଭିଳାଷୀ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ପୃଥିବୀର ଚାରିପଟେ ଏହାର କକ୍ଷଭ୍ରମଣ ସମାପ୍ତ କରି ମଙ୍ଗଳବାର ଚନ୍ଦ୍ରର ନିକଟତର ହୋଇଥଛି। ଏହି ମିସନଟି ଚନ୍ଦ୍ରପୃଷ୍ଠରେ ଏକ ନରମ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି। ଚନ୍ଦ୍ରଯାନ-୨ ଯେଉଁ କାର୍ୟ୍ୟ କରିବାରେ ବିଫଳ ହୋଇଥିଲା, ସେଥିରେ ସଫଳତା ପାଇବା ହେଉଛି ଏହି ପରବର୍ତ୍ତୀ ମିସନର ଲକ୍ଷ୍ୟ। ଏହି ମହାକାଶଯାନରେ ସ୍ୱଦେଶୀ ପ୍ରପଲ୍ସନ ମଡ୍ୟୁଲ୍, ଲ୍ୟାଣ୍ଡର ମଡ୍ୟୁଲ୍ ଏବଂ ଏକ ରୋଭର ରହିଛି।
ପ୍ରପଲ୍ସନ ସିଷ୍ଟମ୍ର ଲକ୍ଷ୍ୟ ହେଉଛି ଲଞ୍ଚ୍ ଭେହିକିଲ ଇଞ୍ଜେକ୍ସନ୍ ଅର୍ବିଟ୍ରୁ ଲ୍ୟାଣ୍ଡର ପୃଥକ୍ ହେବା ପର୍ୟ୍ୟନ୍ତ ଲ୍ୟାଣ୍ଡର୍ ମଡ୍ୟୁଲ୍କୁ ବହନ କରିବା। ଇସ୍ରୋ ଏହାର ମିସନକୁ ‘ଲ୍ୟାଣ୍ଡର୍ ମଡ୍ୟୁଲ୍ ଏବଂ ରୋଭରକୁ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥ ପର୍ୟ୍ୟନ୍ତ ବହନ କରିବା’ ଭାବରେ ବର୍ଣ୍ଣନା କରିଛି। ତା’ପରେ ୩ରୁ ୬ ମାସ ପର୍ୟ୍ୟନ୍ତ ପରୀକ୍ଷାମୂଳକ ପେଲୋଡ୍ ଅପରେସନ୍ ଜାରି ରହିବ। ପ୍ରପଲ୍ସନ ମଡ୍ୟୁଲ୍ ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଏକ ଯୋଗାଯୋଗ ପଏଣ୍ଟ ଭାବରେ କାର୍ୟ୍ୟ କରିବ।
ବିକ୍ରମ ଲ୍ୟାଣ୍ଡରର ଭୂମିକା: ଚନ୍ଦ୍ରଯାନ-୨ରେ ଲ୍ୟାଣ୍ଡର ଓ ରୋଭରର ନାମ ଯାହା ଥିଲା ଚନ୍ଦ୍ରଯାନ-୩ରେ ବି ନାମ ସେୟା ରହିଛି। ଭାରତୀୟ ମହାକାଶ କାର୍ୟ୍ୟକ୍ରମର ଜନକ ଡ ବିକ୍ରମ ଏ ସାରଭାଇଙ୍କ ନାମାନୁସାରେ ଲ୍ୟାଣ୍ଡରର ନାମକରଣ କରାଯାଇଛି। ଏହା ଗୋଟିଏ ଚନ୍ଦ୍ର ଦିବସ ପାଇଁ କାର୍ୟ୍ୟ କରିବାକୁ ଡିଜାଇନ୍ ହୋଇଛି, ଯାହା ପୃଥିବୀରେ ୧୪ ଦିନ ସହ ସମାନ ଏବଂ ଏକ ସୁରକ୍ଷିତ ଅବତରଣକୁ ସୁନିଶ୍ଚିତ କରିବା ପାଇଁ ଏଥିରେ ଅନେକ ସେନ୍ସର ରହିଛି।
ରୋଭର ସହିତ ଏହାର ଓଜନ ପ୍ରାୟ ୧,୭୪୯ କିଲୋଗ୍ରାମ୍। ଏହା ପାର୍ଶ୍ୱରେ ସୌର ପ୍ୟାନେଲଗୁଡିକ ଖଞ୍ଜାଯାଇଛି, ଯାହା ୭୩୮ ୱାଟ୍ ଶକ୍ତି ଉତ୍ପାଦନ କରିପାରିବ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅନୁସନ୍ଧାନ କାର୍ୟ୍ୟରେ ନିୟୋଜିତ ହେବ। ଇସ୍ରୋର କହିବା ଅନୁଯାୟୀ, ବିକ୍ରମ ଲ୍ୟାଣ୍ଡରରେ ତିନୋଟି ପେଲୋଡ୍ ରହିଛି: ରମ୍ଭା-ଏଲ୍ପି – ଯାହା ନିକଟ ପୃଷ୍ଠଭୂମି ପ୍ଲାଜ୍ମା (ଆୟନ୍ ଓ ଇଲେକ୍ଟ୍ରନ୍)ର ଘନତା ଏବଂ ସମୟ ସହିତ ଏହାର ପରିବର୍ତ୍ତନର ପରିମାପ କରିବ; ଚେଷ୍ଟ ବା ‘ଚନ୍ଦ୍ରର ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ’ – ଯାହା ମେରୁ ଅଞ୍ଚଳ ନିକଟରେ ଚନ୍ଦ୍ରପୃଷ୍ଠର ତାପଜ ଗୁଣର ପରିମାପ କରିବ ।