ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ବଡ଼ ବୟାନ। ସିଆଲଦାହ କୋର୍ଟରେ ହଜାର କଲା ବେଳେ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇଛି ସଞ୍ଜୟ। ଏହି ମାମଲାରେ ତାକୁ ଫସେଇ ଦିଆଯାଇଛି। ଦୁଷ୍କର୍ମ ଓ ହତ୍ୟାରେ ସେ ସଂପୃକ୍ତ ନାହିଁ, ତାକୁ ସରକାର ଫସେଇ ଦେଇଥିବା କହିଛି ସଞ୍ଜୟ। ଏହି ମାମଲାର ଦୈନିକ ଶୁଣାଣି ନଭେମ୍ବର ୧୧ରୁ ହେବ ବୋଲି ସିଆଲଦା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଯୁକ୍ତ ସଞ୍ଜୟ ନିଜକୁ ନିର୍ଦ୍ଦୋଷ ବୋଲି କହିଛି। ତାକୁ ରାଜ୍ୟ ସରକାର ଏହି ମାମଲାରେ ଫସାଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛି। ସୂଚନାଯୋଗ୍ୟ, ୮୭ ଦିନ ପୂର୍ବେ ହସ୍ପିଟାଲ୍ର ଏକ ପ୍ରକୋଷ୍ଠରେ ମହିଳା ଜୁନିୟର ଡାକ୍ତରଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଅଗଷ୍ଟ ୧୦ରେ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୬୪, ୬୬ ଓ ୧୦୩ରେ ମାମଲା ରୁଜୁ ହୋଇଥିଲା।
ପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ହୋଇଥିଲା। ସେପଟେ ମାମଲାର ତଦନ୍ତ ରାଜ୍ୟ ବାହାରେ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କହିଛନ୍ତି ରାଜ୍ୟରେ ତଦନ୍ତ ହେଲେ ମାମଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏନେଇ ଟିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
Comments are closed.