ମନି ଲଣ୍ଡରିଂ ମାମଲାରେ ପୂର୍ବତନ ବିଜେଡି ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ପୂର୍ବତନ ବିଜେଡି ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍ । ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ବିରୋଧରେ ଇଡି ଶନିବାର ଚାର୍ଜସିଟ୍ ଦାଖଲ କରିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଅନାମଙ୍କ ସହ ଅନ୍ୟମାନଙ୍କୁ ଦଣ୍ଡବିଧାନ ପ୍ରସ୍ତାବ ଦେଇ ଇଡି ୧.୫୨ କୋଟିର ସମ୍ପତ୍ତି ଜବତ କରାଯାଇଥିବା ଦର୍ଶାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ୨୦୨୦ ଜାନୁଆରୀରେ ଜଣେ ପୂର୍ବତନ କନିଷ୍ଠ କିରାଣିଙ୍କ ସହ ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଥିଲା । ପରେ ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋରାପୁଟରେ ଅନାମ ନାଏକଙ୍କ ବିରୋଧରେ ଭିଜିଲାନ୍ସର ଏତଲା ଅନୁସାରେ ଇଡି ତଦନ୍ତ କରି ୧.୫୪ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ପାଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଅନାମ ନାଏକ ଅସାଧୁ ଉପାୟରେ ଆୟ କରିଥିବା ଟଙ୍କା ନିବେଶ କରିଛନ୍ତି । ଅନାମଙ୍କ ସହ ପରିବାରର ସଦସ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ, ନିକଟରେ ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଜୈନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ନାମଞ୍ଜୁର କରି କୋର୍ଟ କହିଥିଲେ ଯେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଓ ପ୍ରମାଣ ନଷ୍ଟ କରିପାରନ୍ତି । କିଛି ମାସ ତଳେ ସତ୍ୟେନ୍ଦ୍ର ଜୈନ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କୁ କୌଣସି ଆଶ୍ବସ୍ତି ମିଳି ନଥିଲା। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେବାକୁ ଜୈନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଥିଲେ । ଫଳରେ ଜୈନଙ୍କୁ ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ପଡିଥିଲା।

ଆୟ ବହିର୍ଭୁତ ସମ୍ପତ୍ତି ଏବଂ ମନି ଲଣ୍ଡରିଂ ମାମଲାରେ ଅଭିଯୋଗରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗତବର୍ଷ ମେ ୩୦ରେ ଗିରଫ କରିଥିଲା। ସେ ସମ୍ପ୍ରତି ତିହାର ଜେଲରେ ଅଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଏବଂ ମନି ଲଣ୍ଡରିଂ ମାମଲାରେ ଜୈନ, ତାଙ୍କ ପତ୍ନୀ ପୁନମ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଜୈନ ଦିଲ୍ଲୀରେ ଅନେକ ସେଲ କମ୍ପାନୀ ତିଆରି ଓ କିଣିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ସେ କୋଲକାତାର ତିନୋଟି ହାୱାଲା ଅପରେଟରଙ୍କ ଠାରୁ ୫୪ଟି ସେଲ କମ୍ପାନୀ ମାଧ୍ୟମରେ ୧୬.୩୯ କୋଟି କଳା ଟଙ୍କା ଟ୍ରାନ୍ସଫର କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଇଡି ଜୈନ ପରିବାର ଓ ସେମାନଙ୍କ ସହ ଜଡ଼ିତ କମ୍ପାନୀ ଗୁଡିକର ୪.୮୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିଲା |

Leave A Reply

Your email address will not be published.