ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନକ୍ସଲ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଛତିଶଗଡ଼ କଂଗ୍ରେସ ବିଧାୟକ ବିକ୍ରମ ମଣ୍ଡାବି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ କଂଗ୍ରେସ ବିଧାୟକ ବିକ୍ରମ ମଣ୍ଡାବି ଗାଡ଼ି ଉପରକୁ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ଗଙ୍ଗାଲୁର ବଜାରରେ ବିଧାୟକଙ୍କ ସମେତ ସମସ୍ତ କଂଗ୍ରେସ ନେତା ଏକ ରାସ୍ତା ସଭା କରି ମୁଖ୍ୟାଳୟକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଏହି ସମୟରେ ପାଡେଡା ଗାଁ ନିକଟରେ ନକ୍ସଲମାନେ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ତେବେ ନକ୍ସଲଙ୍କ ଗୁଳିମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଏଥିରେ ସମ୍ପୃକ୍ତ ସମସ୍ତ ଲୋକ ସୁରକ୍ଷିତ ଥିବା କୁହାଯାଉଛି । ଏହି ଘଟଣା ପରେ ପୁଲିସ ଉକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରିବା ସହ ବିଧାୟକଙ୍କ ସହ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ତେବେ ନକ୍ସଲଙ୍କ କେଉଁ ଏରିଆ କମିଟି ଏହି ଘଟଣା ଘଟାଇଛି ତାହା ଜଣାପଡ଼ିନାହିଁ । ଏହି ଘଟଣା ପୁଲିସର ଚିନ୍ତା ବଢାଇ ଦେଇଛି । କାରଣ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ୨୦୧୯ରେ ଦାନ୍ତେୱାଡାରେ ବିଜେପି ବିଧାୟକ ଭୀମା ମାଣ୍ଡବୀଙ୍କୁ ନକ୍ସଲମାନେ ଆକ୍ରମଣ କରିଥିଲେ ଏବଂ ବିଜେପି ବିଧାୟକ ଭୀମା ମାଣ୍ଡବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବିଜାପୁରରେ ମାଓବାଦୀମାନେ ବିଜେପିର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା ବିଧାୟକ ମହେଶ ଗଗଡାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ, ଯେଉଁଥିରେ ପୂର୍ବତନ ବିଧାୟକ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିଲେ ।
କହିରଖେ ହି, ଗତ ଫେବୃୟାରୀରେ ଛତିଶଗଡ଼ର ରାଜନନ୍ଦଗାଓଁରେ ନକ୍ସଲ ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଥିଲେ । ବୋରତଲାଓ ଥାନା ନିକଟସ୍ଥ ଗୋନ୍ଦିଆ-ମହାରାଷ୍ଟ୍ର ସୀମାରେ ଅବସ୍ଥିତ ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିବାବେଳେ ହଠାତ୍ ଜଙ୍ଗଲରୁ ଆସି ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଥିଲେ । ଶହୀଦ ଯବାନ ଦ୍ବୟ ହାବିଲଦାର ରାଜେଶ ଓ କନଷ୍ଟେବଳ ଲଲିତ । ସୂଚନା ମୁତାବକ, ସକାଳ ପ୍ରାୟ ୮ଟା ୩୦ ସମୟରେ ଯବାନମାନେ ଚେକ୍ ପୋଷ୍ଟରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ନକ୍ସଲମାନେ ହଠାତ୍ ଗୁଳି ଚାଳନା କରିଥିଲେ । ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଥିଲେ। ଏଥିସହ ସେମାନେ ବାଇକ୍ରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ସୂଚନା ପାଇବା ମାତ୍ରେ ଅତିରିକ୍ତ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରାଯାଉଛି । ବର୍ତ୍ତମାନ ପୁଲିସ ଦ୍ୱାରା ନକ୍ସଲମାନଙ୍କ ସଂଖ୍ୟା ଏବଂ ଘଟଣା କିପରି ଘଟିଲା ସେ ସମ୍ବନ୍ଧରେ ସୂଚନା ସଂଗ୍ରହ କରାଯାଉଛି । ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନକ୍ସଲ ହିଂସାରେ ଦୁଇ ଯବାନଙ୍କ ଶହୀଦ ଖବରକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ନକ୍ସଲ ଆକ୍ରମଣ ଘଟଣାକୁ ସେ ଦୃଢ ନିନ୍ଦା କରିଛନ୍ତି । ଶହୀଦଙ୍କ ପରିବାରଙ୍କୁ ସମବେଦନା ଜଣାଇ ବଘେଲ କହିଥିଲେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ।