ସାନ୍ତାଳୀ-ଓଡିଆ-ଇଂରାଜୀ ଶବ୍ଦକୋଶର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନଜାତି ସଂପ୍ରଦାୟର ପ୍ରତିନିଧି ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ ଏବଂ ସାନ୍ତାଳୀ ଭାଷା ଶିକ୍ଷା କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପଯୋଗୀ ହେବ। ଏଥିପାଇଁ ନିଷ୍ଠାର ସହ କାମ କରିଥିବା ସନ୍ତାଳୀ ଭାଷାବିତ୍‌, ଗବେଷକ ଏବଂ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବିଶିଷ୍ଟ ସାନ୍ତାଳୀ ଭାଷାବିତ୍‌ ଚୈତନ୍ୟ ପ୍ରସାଦ ମାଝୀ ଏହି ଶଦ୍ଦକୋଷକୁ ପ୍ରସ୍ତୁତ କରିଛନ୍ତି। ତାଙ୍କୁ ସାନ୍ତାଳୀ ଭାଷାର ଭାଷାବିତ୍ ମାନେ ସହଯୋଗ କରିଥିଲେ। ସାନ୍ତାଳୀ ଭାଷା ଆମ ସମ୍ବାଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ହୋଇଛି । ସାନ୍ତାଳୀ ସହିତ ଅନ୍ୟ ଜନଜାତି ଭାଷାରେ ଶଦ୍ଦକୋଷ ପ୍ରକାଶନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ବିଭାଗ ପକ୍ଷରୁ ଆଉ ୧୧ଟି ଜନଜାତି ଭାଷାରେ ପ୍ରାଥମିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି । ଜନଜାତି ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଆଗ୍ରହ ଓ ସଚେତନା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଏସବୁକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଅନ୍‌ ଲାଇନ୍‌ରେ ଉପଲବ୍‌ଧ ହେବ। ବିଭିନ୍ନ ଜନଜାତି ଭାଷାରେ ସାର୍ଟିଫିକେଟ କୋର୍ସ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରତି ଜିଲ୍ଲାରେ Language Lab କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହାଦ୍ବାରା ଜନଜାତି ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.