ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇବେ। ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ ସ୍ଥିତ କନ୍ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ ସହିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିଯୁକ୍ତି ପାଇବାକୁ ଥିବା ସମସ୍ତ ଶିକ୍ଷକଙ୍କ ମଧ୍ୟରେ ୩୬୮ ଜଣ ହିନ୍ଦୀ ଏବଂ ୨୦୮ ଜଣ ସଂସ୍କୃତ ଶିକ୍ଷକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ୪୦ ଜଣ, କଟକରେ ୩୫, ଗଞ୍ଜାମରେ ୩୭, କୋରାପୁଟରେ ୩୪, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ୩୩ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତି ପାଇବେ। ସେହିପରି ପୁରୀରେ ୨୭, ମୟୂରଭଞ୍ଜରେ ୨୬ ଜଣ, ଜଗତସଂହପୁରରେ ୨୫ ଜଣ ଓ ଅନୁଗୋଳରେ ୧୭ଜଣଙ୍କୁ ନିଯୁକ୍ତି ଦିଆଯିବ।
ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ। ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ସେ କହିଥିଲେ। ଏହାସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ଏହି ଲକ୍ଷ୍ୟ ନେଇ ଆମର 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଲେ ଯେ ଏହାଦ୍ବାରା ରାଜ୍ୟର ସ୍କୁଲ ଗୁଡିକର ଭିତ୍ତିଭୂମି ଓ ପରିବେଶରେ ସମ୍ପୂର୍ଣ୍ଣ ରୂପାନ୍ତର ଆସିଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆସିପାରିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪୬୦୫ଟି ନୂଆ କ୍ଲାସରୁମ୍, ୧୬,୯୨୦ଟି ସ୍ମାର୍ଟ କ୍ଲାସରୁମ, ୭୮୬୩ଟି ଆଧୁନିକ ଲାବୋରେଟୋରୀ, ୭୯୨୦ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି ।ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମାଧ୍ୟମିକ ସ୍ତରରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୪୭୪୨ ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି ।