ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚଳିତବର୍ଷରୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ୍ । ଏହି ଯୋଜନାରେ ୩ଶହ ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। ରାଜ୍ୟ ବିଶ୍ୱବିଦ୍ୟାଳୟରେ ଗବେଷଣା ତଥା ପିଏଚ୍ଡି କରୁଥିବା ପିଲା ଏହି ଛାତ୍ରବୃତ୍ତି ପାଇବେ । ଏହାର ପ୍ରବେଶିକା ପରୀକ୍ଷା ନଭେମ୍ବର ମାସରେ କରିବାର ଯୋଜନା ରହିଛି । ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ଉଦ୍ଭାବନ ପ୍ରୋତ୍ସାହନ ଯୋଜନା (ଓୟୁଆର୍ଆଇଆଇପି)କୁ ନବୀକରଣ କରି ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ୍ (ସିଏମ୍ଆର୍ଆଇଏଫ୍ପି) କରାଯାଇଛି । ଏହି ଯୋଜନାରେ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ୩୦ହଜାର ଟଙ୍କା ଲେଖାଏ ଦିଆଯିବ ।
ରାଜ୍ୟର ୩୦୦ ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ୫ବର୍ଷ ପର୍ଯ୍ୟନ୍ତ ଦିଆଯିବ । ଏଥିସହ ସାଇନ୍ସରେ ପିଏଚ୍ଡି କରୁଥିବା ଛାତ୍ରଛାତ୍ରୀଙ୍କୁ ୫୦ହଜାର ଓ ସାମାଜିକ ବିଜ୍ଞାନରେ ପିଏଚ୍ଡି କରୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୩୦ ହଜାର ଦିଆଯିବ । ଯଦି କୌଣସି ପିଏଚ୍ଡି ଛାତ୍ର ବିଶ୍ୱର ଶ୍ରେଷ୍ଠ ୨୫ଜର୍ଣ୍ଣାଲ୍ରେ ନିଜର ଲେଖା ପ୍ରକାଶ ପାଇଁ ଗବେଷଣା କରୁଥିବେ ତେବେ ସେମାନଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଓୟୁଆର୍ଆଇଆଇପି ଯୋଜନାରେ ପିଏଚ୍ଡି ଛାତ୍ରଙ୍କୁ ମାସିକ ୧୫ହଜାର ଟଙ୍କା ପ୍ରଦାନ କରାଯାଉଛି । ଏହାପୁଣି ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି । ମାତ୍ର ସିଏମ୍ଆର୍ଆଇ ଛାତ୍ରବୃତ୍ତି ଲାଗୁ ହେବା ପରେ ଓୟୁଆର୍ଆଇଆଇପି ଛାତ୍ରବୃତ୍ତି ବନ୍ଦ କରିଦିଆଯିବ । ଏହି ଛାତ୍ରବୃତ୍ତି ପାଇଁ ନେଟ୍ ପରୀକ୍ଷା ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ । ଛାତ୍ରବୃତ୍ତି ପାଇଁ ସ୍ୱତନ୍ତ୍ର ଏକକ ପିଏଚ୍ଡି ପ୍ରବେଶିକା ପରୀକ୍ଷା ଦ୍ୱାରା ପିଲାଙ୍କୁ ଚୟନ କରାଯିବ। ଯେଉଁ ଛାତ୍ରଛାତ୍ରୀ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମଶ୍ରେଣୀରେ ପାସ୍ କରିଥିବେ ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ଅଗ୍ରାଧିକାର ଦିଆଯିବ ।