ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ

0

ଓଡ଼ିଆ ନ୍ୟୁଜ, ବ୍ୟୁରୋ: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ରୋଡ୍ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।  2024 ସାଧାରଣ ନିର୍ବାଚନରେ ରାଜଧାନୀରେ ପ୍ରଥମ ଥର ପାଇଁ ରୋଡ଼ ସୋ କରିଛନ୍ତି ନବୀନ । ହାଇଟେକ ବସରେ ଛିଡା ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ, ତାଙ୍କ ପାଖରେ ଛିଡା ହୋଇଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ରାସ୍ତାଘାଟ, ଗଳି କନ୍ଧି ସବୁଠି ଜମିଥିଲା ଭିଡ । ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ବଦଳରେ ନବୀନଙ୍କ ଗାଡ଼ି(ସ୍ୱତନ୍ତ୍ର ବସ୍‌)ରେ କେବଳ ଭିକେ ପାଣ୍ଡିଆନ ଓ ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳିଥିଲା ।

ନବୀନଙ୍କ ରୋଡ୍ ଶୋ’ରେ ଆଜି ବିଶେଷ ଜନଗହଳି ଦେଖିବାକୁ ମିଳିନଥିଲା । ରୋଡ୍ ଶୋ’ରେ ପ୍ରାର୍ଥୀମାନଙ୍କୁ ନିଜ ଗାଡ଼ିରେ ନବୁଲାଇବା ଓ ସାଧାରଣ ଲୋକଙ୍କ ମଧ୍ୟରେ ନବୀନଙ୍କୁ ଦେଖିବା ପାଇଁ ଉତ୍ସାହ ନରହିବା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ନବୀନ ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ୪୦ମିନିଟ୍ ବିଳମ୍ବରେ ଗଙ୍ଗନଗର ଛକରୁ ରୋଡ୍ ଶୋ’ ଆରମ୍ଭ କରିଥିଲେ । ଶେଷ ମୁହୂର୍ତ୍ତରେ ନବୀନଙ୍କ ରୁଟ୍ ଚାର୍ଟରେ ପରିବର୍ତ୍ତନ ହୋଇଥିଲା । କଳିଙ୍ଗ ଷ୍ଟାଡ଼ିୟମ ଛକରୁ ନିକୋ ପାର୍କ ଓ ବାୟାବାବ ମଠ୍ ଲେନ୍ ଦେଇ ରୂପାଲି ଛକ ବଦଳରେ ନବୀନଙ୍କ ରୋଡ୍ ଶୋ’ ଜୟଦେବ ବିହାର-ଆଚାର୍ଯ୍ୟ ବିହାର ଓ ବାଣୀବିହାର ଦେଇ ରୂପାଲି ଛକକୁ ଆସିଥିଲା । ଏକ ଘଣ୍ଟା ବଦଳରେ ନବୀନଙ୍କ ରୋଡ୍ ଶୋ’ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ।

ନବୀନଙ୍କ ରୋଡ୍ ଶୋ’ ଗଙ୍ଗନଗର ଛକରୁ ଏଲଆଇସି ଅଫିସ ଛକ-ଗୋପବନ୍ଧୁ ଛକ-୮ ନମ୍ବର ଡିଏଭି ସ୍କୁଲ ଛକ- ବେହେରା ସାହି ଛକ-କଳିଙ୍ଗ ଷ୍ଟାଡ଼ିୟମ ଛକ-ଜୟଦେବ ଛକ-ଆଚାର୍ଯ୍ୟ ବିହାର ଛକ-ବାଣୀବିହାର ଛକ-ସତ୍ୟନଗର- ମାଷ୍ଟରକ୍ୟାଣ୍ଟି -ରାଜମହଲ ଛକ ଦେଇ ଶିଶୁଭବନ ଛକ ପର୍ଯ୍ୟନ୍ତ ଚାଲିଥିଲା । ବିଭିନ୍ନ ସ୍ଥାନରେ ନବୀନଙ୍କ ରୋଡ୍ ଶୋ’କୁ ଦଳୀୟ କର୍ମୀ ଓ ସମର୍ଥକମାନେ ସ୍ୱାଗତ କରିଥିଲେ । ନବୀନ କିଛି ସ୍ଥାନରେ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧନ କରି ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ୍ କରିଥିଲେ । ଅଧିକାଂଶ ସ୍ଥାନରେ ନବୀନଙ୍କ ସହ ବିଜେଡି ନେତା ପାଣ୍ଡିଆନ ମଧ୍ୟ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ନବୀନଙ୍କ ଏହି ରୋଡ୍ ଶୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ବେଶ୍ କଡ଼ାକଡ଼ି ରହିଥିଲା । ବ୍ୟାପକ ପୁଲିସ ବନ୍ଦୋବସ୍ତ ମଧ୍ୟରେ ହୋଇଥିବା ନବୀନଙ୍କ ରୋଡ୍ ଶୋ’ରେ ସେଭଳି ଆଖିଦୃଶିଆ ଜନଗହଳି ନଥିଲା । ଯାହାକି ବିଜେଡି ପାଇଁ ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.