ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଗସ୍ତ କରି ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର ଉଦଘାଟନ କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଗସ୍ତରେ ଯାଇ ଅପରାହ୍ନରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିବେବେଳେ ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭିନ୍ନକ୍ଷମମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ୱ । ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ଜୟପୁର ଫୁଟ୍, ଏକ ଅନନ୍ୟ ଉତ୍ପାଦନ । ଏହା ଭିନ୍ନକ୍ଷମମାନଙ୍କୁ ସଂପୂର୍ଣ୍ଣ ସକ୍ଷମ କରିପାରିବ ବୋଲି ଆଜି ଗୁରୁଜଙ୍ଗ ଠାରେ ରାଜ୍ୟର ପ୍ରଥମ ବିଜୁ-ମହାବୀର ଜୟପୁର ଫୁଟ ନିର୍ମାଣ କେନ୍ଦ୍ରକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ଥଇଥାନ, ତାଲିମ ଦ୍ୱାରା ସେମାନଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପରେ ଖୋର୍ଦ୍ଧାରେ ଆରମ୍ଭ ହୋଇଥିବା ଜୟପୁର ଫୁଟ୍ କେନ୍ଦ୍ର ଏକ ବିଶେଷ ଭୂମିକା ଗ୍ରହଣ କରିବ । ଏହାକୁ ବ୍ୟବହାର କରି ଜଣେ ଭିନ୍ନକ୍ଷମ ଚାଲିବା, ଦୌଡ଼ିବା ଠାରୁ ଆରମ୍ଭ ନିଜର ଦୈନନ୍ଦିନ ଅନେକ କାମ ସୁରୁଖୁରରେ ସମ୍ପାଦନ କରିପାରିବ ବୋଲି କହିଥିଲେ ।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ରାଜ୍ୟରେ ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ଯେଉଁ ଅଭିଯାନ ଚାଲିଛି ସେଥିରେ ଏହି କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ସଭାରେ ସ୍ୱାଗତ ଭାଷଣ ଦେଇ ଜୟପଣ ଫୁଟ୍ କେନ୍ଦ୍ରର ପ୍ରତିଷ୍ଠାତା ଡ ଡିଆର୍ ମେହେଟ୍ଟା କହିଲେ ଯେ ତାଙ୍କ ସଂସ୍ଥା ୫୦ ବର୍ଷ ଧରି ଭିନ୍ନକ୍ଷମଙ୍କୁ ସକ୍ଷମ କରିବା ଦିଗରେ କାମ କରିଆସିଛି । କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଏହି ପ୍ରୟାସ ଜାରି ରଖିଛି । ଏହି କେନ୍ଦ୍ରରେ ଲୋକଙ୍କ ଆବଶ୍ୟକତାକୁ ନେଇ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯିବ । ଭ୍ରାମ୍ୟମାଣ ଯାନ ଜରିଆରେ ସବୁ ଜିଲ୍ଲାକୁ ଯାଇ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ସଭା ମଂଚରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜୟପୁର ଫୁଟ୍ କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଭାପତି ସତୀଶ ମେହେଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୧୬ଜଣଙ୍କୁ କୃତ୍ରିମ ଅଙ୍ଗ, ୮ ଜଣଙ୍କୁ ତିନିଚକିଆ ସାଇକଲ, ୧୭ ଜଣଙ୍କୁ ହ୍ୱିଲ୍ ଚେୟାର, ୩୩ଜଣଙ୍କୁ ଆଶାବାଡ଼ି, ୪ ଜଣଙ୍କୁ ଏଲବୋ କ୍ରେଚ୍, ୪ ଜଣଙ୍କୁ ୱାକିଂ ଷ୍ଟିକ୍ ଓ ୫ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କ ସହ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡା ଡିଆର୍ ମେହେଟ୍ଟାଙ୍କ ଦ୍ୱାରା ୧୯୭୫ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ଏକ ସ୍ୱେଚ୍ଛାସେବୀ ସଂସ୍ଥା । ଖୋର୍ଦ୍ଧା-ଗୁରୁଜଙ୍ଗରେ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ।