ଚୀନର ନୂଆ ନିୟମ: ପ୍ରତିଦିନ ସର୍ବାଧିକ ୨ ଘଣ୍ଟା ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ ପିଲା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଏକ ନୂଆ ଆଇନ ପ୍ରଣୟନ କରି ଚର୍ଚ୍ଚାରେ ଚୀନ୍ । ଚୀନ୍‌ର ଇଣ୍ଟରନେଟ୍‌ ୱାଚ୍‌ଡଗ୍ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାରକୁ ସୀମିତ କରିବା ପାଇଁ ଏକ ନୀତି ପ୍ରଣୟନ କରିଛି। ସୋସିଆଲ ମିଡ଼ିଆ ଓ ଅନ୍‌ଲାଇନ ଗେମ୍‌ରେ ପିଲାମାନେ ଚିନ୍ତାଜନକ ଭାବେ ଅଧିକ ସମୟ ବିତାଉଥିବାରୁ ଏବଂ ନିଶାଗ୍ରସ୍ତ ହୋଇପଡ଼ୁଥିବାରୁ ଏପରି ନିୟମ ପ୍ରଣୟନ କରାଯାଇଛି। ଚୀନ୍‌ର ସାଇବରସ୍ପେସ୍ ଆଡ୍‌ମିନିଷ୍ଟ୍ରେସନ ବୁଧବାର ଏହାର ୱେବ୍‌ସାଇଟ୍‌ରେ ଏକ ଚିଠା ମାର୍ଗଦର୍ଶିକା ଜାରି କରିଛି। ଏଥିରେ କୁହାଯାଇଛି ଯେ ପିଲାମାନେ ମୋବାଇଲରେ ବ୍ୟବହାର କରୁଥିବା ଅଧିକାଂଶ ଇଣ୍ଟରନେଟ୍ ସେବା ରାତି ୧୦ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ଉପଲବ୍ଧ ନ ହେବା ଆବଶ୍ୟକ।

୧୬ରୁ ୧୮ ବର୍ଷର ପିଲାମାନେ ଦିନକୁ ସର୍ବାଧିକ ୨ ଘଣ୍ଟା ଇଣ୍ଟରନେଟ୍ ବ୍ୟବହାରର ସୁଯୋଗ ପାଇବା ଉଚିତ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ୮ରୁ ୧୫ ବର୍ଷର ପିଲାଙ୍କ ପାଇଁ ଏହି ସମୟ ୧ ଘଣ୍ଟା ଏବଂ ୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ମାତ୍ର ୪୦ ମିନିଟ୍‌ ଇଣ୍ଟରନେଟ୍ ବ୍ୟବହାରର ସୁଯୋଗ ଦେବାକୁ ଚିଠା ମାର୍ଗଦର୍ଶିକାରେ ପ୍ରସ୍ତାବ ଦିଆଯାଇଛି। ତେବେ ଯେଉଁ ଆପ୍ ବା ପ୍ଲାଟଫର୍ମଗୁଡ଼ିକ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରୁଛି, ସେଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ତେଣୁ ସର୍ବାଧିକ ୨ ଘଣ୍ଟା ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ ।

 

 

 

Leave A Reply

Your email address will not be published.