ଦିନକୁ ଦିନ ବଢୁଛି ଚୀନର ଦୌରାତ୍ମ୍ୟ : ମୋଦିଙ୍କୁ ଭେଟିଲେ ଭୁଟାନ ରାଜା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ସୀମାନ୍ତରେ ଦୌରାତ୍ମ୍ୟ ବଢାଉଛି ଚୀନ । ଅରୁଣାଚଳ ପ୍ରଦେଶର ୧୧ ସ୍ଥାନର ମନଇଚ୍ଛା ନାଁ ବଦଳାଇଛି । ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ ଭାବେ ବିବେଚନା କରୁଥିବା ଚାଇନା ଏହି ଅଞ୍ଚଳଗୁଡ଼ିକୁ ଦକ୍ଷିଣ ତିବ୍ଦତର ଅଂଶବିଶେଷ ଭାବେ ଗଣନା କରିଛି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକଙ୍କ ସହ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ଚିନ୍ତା ମଧ୍ୟରେ ଏହି ସାକ୍ଷାତକୁ ଗୁରୁତ୍ବ ଦିଆଯାଉଛି । ଡୋକଲାମ ବିବାଦ କୁ ନେଇ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗଙ୍କ ନିକଟରେ ଦେଇଥିବା କିଛି ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା । ସେ କହିଥିଲେ ଯେ ଚୀନ ପକ୍ଷରୁ ଭୁଟାନର କୌଣସି ଅଂଚଳ ଅଧିକାର କରାଯାଇନାହିଁ । ଏହାକୁ ନେଇ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ନେଇ ଭାରତରେ ଚିନ୍ତା ପ୍ରକାଶ ପାଇଥିଲା । କିନ୍ତୁ ସୀମା ବିବାଦ କୁ ନେଇ ଭୁଟାନ୍ ନିଜର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନାହିଁ ବୋଲି ଥିମ୍ପୁ କହିଛି । ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଭୁଟାନର ରାଜାଙ୍କୁ ସ୍ୱାଗତ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଭୁଟାନ ରାଜାଙ୍କ ଏହି ଗସ୍ତକୁ ନୂଆଦିଲ୍ଲୀ ଦେଇଥିବା ଗୁରୁତ୍ୱକୁ ଏହା ଦର୍ଶାଉଛି । ଜୟଶଙ୍କର ସୋମବାର ସନ୍ଧ୍ୟାରେ ଭୁଟାନର ରାଜାଙ୍କୁ ସାକ୍ଷାତ କରି କହିଛନ୍ତି ଯେ ଭୁଟାନର ଭବିଷ୍ୟତ ଏବଂ ଭାରତ ସହ ଅନନ୍ୟ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ରାଜାଙ୍କ ଦୃଷ୍ଟିକୋଣ ପ୍ରଶଂସନୀୟ । ଭୁଟାନ ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦେଶ ଏବଂ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ପର୍କ ଯଥେଷ୍ଟ ବୃଦ୍ଧି ପାଇଛି । କିନ୍ତୁ ଚୀନ ଧୀରେ ଧୀରେ ଭୁଟାନର ଅଂଚଳ ଅଧିକାର କରୁଥିବାରୁ ତାହାକୁ ନେଇ ଚିନ୍ତା ବଢିଯାଇଛି ।

ସୂଚନା ଅନୁଯାୟୀ, ଚାଇନାର ସାମାଜିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିଲିଜ୍‌ରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଯିବା ସମ୍ପର୍କରେ ତଥ୍ୟ ରହିଛି। ଚାଇନା କ୍ୟାବିନେଟ ଭୌଗଳିକ ନାଁ ଗୁଡ଼ିକ ଉପରେ ମୋହର ମାରିଥିବା ଏଥିରେ କୁହାଯାଇଛି। ଚାଇନିଜ, ତିବ୍ଦତୀୟ ଓ ପିନୟିନ ଅନୁସାରେ ନାଁ ଗୁଡ଼ିକର ପରିବର୍ତ୍ତନ କରାଯାଇଛି । ତାଲିକା ଅନୁସାରେ ଅରୁଣାଚଳ ପ୍ରଦେଶର ୨ଟି ସ୍ଥାନ, ଦୁଇଟି ଆବାସିକ ଅଞ୍ଚଳ, ୫ଟି ପାହାଡ଼ ଓ ୨ଟି ନଦୀର ନାୱ ବଦଳା ଯାଇଛି । ଏହା ସହ ଜଡ଼ିତ ପ୍ରଶାସନିକ ଜିଲ୍ଲାର ନାଁକୁ ମଧ୍ୟ ଚାଇନା ବଦଳାଇ ଦେଇଛି। ଚାଇନା ସରକାର ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାଁ ବଦଳାଇଛନ୍ତି। ୨୦୧୭ରେ ଚାଇନା ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାଁ ବଦଳାଇଥିଲା। ପୂର୍ବଥର ଗୁଡ଼ିକ ଭଳି ଭାରତ ସରକାରଙ୍କ ଏପରି ମନଇଚ୍ଛା କାମକୁ ନିନ୍ଦା କରିଛନ୍ତି। ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଆଭ୍ୟନ୍ତରୀଣ ଅଂଶ ହୋଇ ରହି ଆସିଛି। ଏକତରଫା ଭାବେ ଅରୁଣାଚଳ ପ୍ରଦେଶରେ ଥିବା ବିଭିନ୍ନ ସ୍ଥାନର ନାଁ ବଦଳାଇ ଦେଲେ ତଥ୍ୟ ବଦଳି ଯିବନି ବୋଲି ଭାରତ କହିଛି।  ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଚାଇନା ପ୍ରଥମଥର ଏପରି ନାଁ ବଦଳାଇବା କାମ କରନି। ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ଆମେ ଏପରି ପଦକ୍ଷେପକୁ ଅଗ୍ରାହ୍ୟ ଓ ନିନ୍ଦା କରୁଛୁ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ। କେବଳ ନାଁ ବଦଳାଇ ଦେଲେ ଏହି ବାସ୍ତବ ସତ୍ୟ କେବେ ବଦଳିବ ନାହିଁ।”

Leave A Reply

Your email address will not be published.