ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ବଡ଼ମାଳ ରେଲୱେ ଷ୍ଟେସନରେ ପୂର୍ବରୁ ପ୍ଲାଟଫର୍ମରେ ଠିଆ ହୋଇଥିବା ମାଲବାହୀ ଟ୍ରେନ୍ ଉପରେ ଚଢ଼ି ଯାଇ ବିଦ୍ୟୁତ୍ ତାରକୁ ଧରି ପକାଇଲେ ଯବକ । ଆଉ ବିଦ୍ୟୁତ ଝଟକା ଖାଇ ତଳେ ପଡ଼ି ଯାଇଥିଲେ। । ଯୁବକଙ୍କ ନାଁ ସୁବାଷ ବଗର୍ତି (୨୪), ତାବା ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଛି। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୁବାଷ ମାଲବୋଝେଇ ଟ୍ରେନ୍ ଉପରେ ଚଢ଼ିବା ପରେ ସେଠାରେ ଉପସ୍ଥିତ ଲୋକେ ତଥା ଜିଆରପି ପୁଲିସ ତାଙ୍କ ଓହ୍ଲାଇ ଆସିବାକୁ କହିଥିଲେ। କାରଣ ସୁବାଷଙ୍କ ହାବଭାବ ଦେଖି ସେ କୌଣସି ମନ୍ଦ ଉଦ୍ଦେଶ୍ୟରେ ଟ୍ରେନ ଉପରେ ଚଢ଼ିଥିବା ସମସ୍ତଙ୍କର ସନ୍ଦେହ ହୋଇଥିଲା। ତେବେ କାହା କଥା ଶୁଣି ନଥିଲେ ସୁବାଷ ଓ ବିଦ୍ୟୁତ ତାରକୁ ଧରି ପକାଇଥିଲେ। ବିଦ୍ୟୁତ୍ ଝଟକାରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସୁବାଷ କେଉଁ କାରଣରୁ ଆତ୍ମହତ୍ୟା କରିବକୁ ଉଦ୍ୟମ କରିଥିଲେ, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ସୁବାଷ ଜଣେ ମାନସିକ ରୋଗୀ ବୋଲି ପରିବାର ଲୋକେ କହିଛନ୍ତି। ପୂର୍ବରୁ ଥରେ ମଧ୍ୟ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବୁଧବାର ଉତ୍ତରପ୍ରଦେଶର ବହରାଇଚରୁ ଏଭଳି ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିଲା । ଟ୍ରେନ୍ରେ ଯାତ୍ରା କରିବା ସମୟରେ ରେଲୱେ ଟ୍ରାକ୍ ଉପରେ ଯାଇଥିବା ହାଇପର୍ଟେନ୍ସନ୍ ତାରକୁ ଛୁଇଁଦେଇଥିଲେ ଯାତ୍ରୀ । ଆଖି ପିଛୁଳାକେ ହୋଇଥିଲା ଜୋରଦାର ବିସ୍ଫୋରଣ, ସଙ୍ଗେ ସଙ୍ଗେ ଯୁବକ ଜଣକ ଜଳିଯାଇଥିଲେ । ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହେଲେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି । ଯୁବକ ଜଣକ ଝାନସୀରୁ ମୁମ୍ବାଇ LTT ଏକ୍ସପ୍ରେସ ଟ୍ରେନରେ ଚଢ଼ିଥିଲେ । ଟ୍ରେନ୍ ବହରାଇଚ୍ ଜିଲ୍ଲାର ଜରୱାଲ୍ ରୋଡ୍ ରେଳ ଷ୍ଟେସନ ଠାରୁ ସାଢ଼େ ଚାରି କିଲୋମିଟର ଦୂରରେ ଥିବା ଏକ ରେଡ୍ ସିଗନାଲରେ ଅଟକି ଯାଇଥିଲା । ଏହି ସମୟରେ କ’ଣ ହେଲା କେଜାଣି ଯାତ୍ରୀ ଜଣକ ଟ୍ରେନର ଇଞ୍ଜିନ ଉପରେ ଚଢ଼ିଯାଇଥିଲେ । ବାରଣ ସତ୍ତ୍ୱେ ରେଳ ଟ୍ରାକ୍ ଉପରେ ଥିବା ହାଇପର୍ଟେନସନ୍ ତାରକୁ ଛୁଇଁ ଦେଇଥିଲେ । ତାରକୁ ଛୁଇଁବା ମାତ୍ରେ ହଠାତ୍ ଭୀଷଣ ବିସ୍ପୋରଣ ଘଟିବା ସହ ଯୁବକ ଜଣକ ଜଳି ଯାଇଥିଲେ ।
ସେପଟେ ହଠାତ୍ ବିସ୍ଫୋରଣ ଯୋଗୁଁ ଟ୍ରେନରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ । ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଅନେକ କଷ୍ଟ କରି ଟ୍ରେନ୍ ଇଞ୍ଜିନ୍ ଉପରୁ ଜଳି ଯାଇଥିବା ଯାତ୍ରୀଙ୍କୁ ଓହ୍ଲାଇଥିଲା ପୋଲିସ୍ । ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାତ୍ରୀଙ୍କ ପାଖରୁ ଝାନସୀ ଯିବା ପାଇଁ ଏକ ପୋଡ଼ା ଟିକେଟ ମିଳିଛି । ତାଙ୍କର ୯୨ ପ୍ରତିଶତ ଶରୀର ଜଳିଯାଇଛି । ଯୁବକ ଜଣକ ମହାରାଜଗଞ୍ଜର ପ୍ରୀତିରାଜ ବୋଲି ଜଣାପଡିଛି । ହେଲେ କେଉଁ କାରଣରୁ ସେ ଏପରି କରିଛନ୍ତି, ସେସମ୍ପର୍କରେ ସୂଚନା ମିଳିପାରି ନାହିଁ ।