ପରଲୋକରେ ବଙ୍ଗୀୟ ତଥା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଲୋକପ୍ରିୟ ବଙ୍ଗୀୟ ତଥା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି ବୋଲି ଜଣାଯାଇଛି। ମୃତ୍ଯୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ନିର୍ମାଳା । ବାଲକୃଷ୍ଣ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ ନିର୍ମଳା ।

ଆଜି ରବିନ୍ଦ୍ର ସଦନରେ ନିର୍ମଳାଙ୍କ ଶେଷ ଦର୍ଶନ କରିବେ ପ୍ରଶଂସକ । ଏହାପରେ କୋରତାଲା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଦୀର୍ଘଦିନ ଧରି ରୋଗଶଯ୍ୟାରେ ଥିବା ନିର୍ମଳା ଘରେ ହିଁ ଚିକିତ୍ସିତ ହେଉଥିଲେ । ଏହା ପୂର୍ବରୁ ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ଘରେ ରହି ଚିକିତ୍ସିତ ହେବାକୁ ଠିକ ମନେ କରୁଥିଲେ।

 ଶ୍ରୀମତୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ। ୬୦ ଓ ୭୦ ଦଶକରେ ତାଙ୍କ ସଂଗୀତର ମଧୁର ମୂର୍ଚ୍ଛନା ଜନ ମାନସକୁ ଏବେ ମଧ୍ୟ ଜୀବନ୍ତ ରହିଛି । ତାଙ୍କର ସଙ୍ଗୀତ ଗୁଡ଼ିକ ଅତ୍ୟନ୍ତ ଶ୍ରୁତି ମଧୁର ଓ ଶ୍ରୋତା ମାନଙ୍କୁ ଗଭୀର ଆନନ୍ଦ ପ୍ରଦାନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗ ଓଡିଆ ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେ କହିଛନ୍ତି।ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇ ଛନ୍ତି।

Leave A Reply

Your email address will not be published.