କୋଚିଂ ସେଣ୍ଟର ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀର ଏକ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ବୁଡ଼ି ୩ ଜଣ ୟୁପିଏସ୍‌ସି ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ପ୍ରବଳ ବର୍ଷା ଯୋଗୁଁ ଗତ ଶନିବାର ଦିଲ୍ଲୀର ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ରାଓଜ୍‌ ଆଇଏଏସ ଷ୍ଟଡି ସର୍କଲ ବେସ୍‌ମେଣ୍ଟରେ ପାଣି ପଶି ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ର ପ୍ରାଣ ହରାଇଥିଲେ।

ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ମାମଲାର ତଦନ୍ତ ଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଛି। ଏହି ମାମଲାରେ ସିବିଆଇ ତଦନ୍ତର ତଦାରଖ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ମନୋନୀତ କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରୀୟ ଭିଜିଲାନ୍ସ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଥିବା ଡ୍ରେନଗୁଡିକର ନିର୍ମାଣ ଶୈଳୀ ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ବର୍ଷା ଜଳ ନିଷ୍କାସନରେ ବାଧା ଉପୁଜିଥିବା ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି। ଏଥିସହିତ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଇଛି।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) କର୍ତ୍ତୃପକ୍ଷଙ୍କୁ ମଧ୍ୟ ତୀବ୍ର ଭର୍ତ୍ସନା କରିଛନ୍ତି। ଘଟଣା ଘଟିଥିବା ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ପ୍ରାୟ ନ ଥିବା ବେଳେ ରାସ୍ତାଗୁଡ଼ିକ ଅସ୍ଥାୟୀ ଡ୍ରେନ୍ ଭାବେ କାମ କରୁଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା। ଅଦାଲତ ଦିଲ୍ଲୀ ପୁଲିସକୁ ଘଟଣାର ସ୍ପଷ୍ଟ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.