ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ।  କଲେଜ ଅଧ୍ୟକ୍ଷଙ୍କୁ ନିଜ ସମସ୍ୟା ଜଣାଇବାକୁ ଯାଇଥିଲେ ୨ ଛାତ୍ରୀ। ହେଲେ ଛାତ୍ରୀମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଅସଦାଚରଣ କଲେ କଲେଜ ଅଧ୍ୟକ୍ଷ। ଏପରିକି ତୁମେ ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି କହି ଗାଲକୁ ଚିମୁଟି ଦେଲେ ବୋଲି କରିଛନ୍ତି ଛାତ୍ରୀମାନେ। ଅଭିଯୋଗ ଆଧାରରେ କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଛି ପୋଲିସ୍‌ । ଏପରି ଲଜ୍ଜାଜନକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଘଟିଛି। ଗୁରୁ ନାଁରେ କଳଙ୍କ ସାଜିଥିବା ଏହି ଶିକ୍ଷକଙ୍କ ନାଁ ପ୍ରଦୀପ୍ତ ହାତୀ ବୋଲି ଜଣାଯାଇଛି। ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢ଼ୁଥିବା ଦୁଇ କଲେଜ ଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ନିଜ ସମସ୍ୟା ଜଣାଇବାକୁ ଯାଇଥିବା ଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ କହିଥିଲେ ଆଗ ମୋ କଥା ବୁଝ ମୁଁ ତମ କଥା ବୁଝି ଦେବି। ଏହା କହିବା ସହ ତାଙ୍କ ଗାଲକୁ ଚିପି ଦେଇଥିବା କଥା ଛାତ୍ରୀମାନେ କହିଛନ୍ତି। ଆଉ ଏକଥା ବାହାରେ ପ୍ରଘଟ କଲେ ପରୀକ୍ଷାରେ ମାର୍କ କାଟି ଦେବା ପାଇଁ ଅଧ୍ୟକ୍ଷ ଧମକ ଦେଇଥିବା କଥା ମଧ୍ୟ ଛାତ୍ରୀ ମାନେ ଅଭିଯୋଗ ଆଣିଛନ୍ତି । ଏନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି।

କଲେଜରେ ନିୟମିତ ପାଠ ପଢା ହେଉନଥିବାକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କହିବାକୁ ଯାଇଥିବା ବେଳେ ଅଧକ୍ଷ ପ୍ରଦୀପ୍ତ ହାତୀ ଦୁଇ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏନେଇ ଇଟାମାଟି ଥାନାରେ ୨ ପୀଡ଼ିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ଇଟାମାଟି ଥାନା ପୋଲିସ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ହାତୀ ଏବଂ ଦୁଇ ନାବାଳିକାଙ୍କ ଡାକ୍ତରୀ ମାଇନା ହୋଇଛି । ଏହାପରେ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ ।

Leave A Reply

Your email address will not be published.