ଦୀପାବଳି ପୂର୍ବରୁ ଭୁବନେଶ୍ବରରେ ବେଆଇନ୍‌ ବାଣ ଦୋକାନରେ ଚଢାଉ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୀପାବଳି ପୂର୍ବରୁ ବାଣ ଦୋକାନରେ ଚଢାଉ । ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ରେଡ୍‌ କରିଛି କ୍ୟାପିଟଲ ଥାନା ପୋଲିସ । ବିନା ଅନୁମତିରେ ବେଆଇନ ବାଣ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢଉ ହୋଇଛି ।

ପ୍ରାୟ ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି ପୋଲିସ । ପୂର୍ବରୁ ଭୁବନେଶ୍ୱରରେ ବାଣ ବିକ୍ରି ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ୭ଟି ଜାଗାରେ କେବଳ ସ୍ୱୀକୃତି ପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିପାରିବେ । ଏହା ବ୍ୟତୀତ ଅନ୍ୟସ୍ଥାନରେ ବାଣ ବିକ୍ରି ନକରିବାକୁ ନିର୍ଦ୍ଦେଶ ରହିଛି ।

ଗଞ୍ଜାମ ଜ଼ିଲ୍ଲାର ତିନିଟି ସ୍ଥାନରେ ଚଢାଉ କରିଛି ପୋଲିସ୍‌ । ବେଆଇନ୍‌ ବାଣ ତିଆରି ଅଭିଯୋଗରେ ଆସିକାର ନଳବଣ୍ଟା ଗାଁର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଏଥିରେ ଜଣେ ଗିରଫ ହୋଇଥିବା ବେଳେ ୧୦ ଜଣ ଫେରାର୍‌ ହୋଇଯାଇଛନ୍ତି । ଚଢ଼ାଉରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଥିଲେ । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ । ସେହିପରି ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତାରେ ଚଢ଼ାଉ କରିଛି ପୋଲିସ୍‌ । ପାଞ୍ଚ ଲକ୍ଷ ଟଙ୍କାର ବାଣ ଜବତ କରିବା ସହ ଜଣେ ବ୍ୟବସାୟୀକୁ ଗିରଫ କରାଯାଇଛି । ବିନା ଲାଇସେନ୍ସରେ ବାଣ ବିକ୍ରି ପାଇଁ ରଖାଯାଇଥିବା ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିଲା । ସେପଟେ ଡେଙ୍ଗାଓସ୍ତା ଓ ପୋଡାମାରିରେ ଚଢ଼ାଉ କରି ଚାରି ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ଦଶ ଲକ୍ଷ ଟଙ୍କାର ବେଆଇନ ଭାବେ ଗଛିତ ବାଣକୁ ଜବତ କରାଯାଇଛି। ଦୁଇ ବର୍ଷ ପରେ ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟାଇବାର ଅନୁମତି ମିଳିଛି। ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ରାଜଧାନୀ ବାସୀଙ୍କୁ ଅନୁରୋଧ କରିଛି କମିଶନରେଟ ପୋଲିସ ।

Leave A Reply

Your email address will not be published.