ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ୟ୍ୟନ୍ତ ଇଂଲଣ୍ଡର ବର୍ମିଂହାମଠାରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ୩୭ ଜଣିଆ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ୧୦୦ ମିଟରରେ ବାଦ୍ ପଡିଛନ୍ତି ଦୂତି ଚାନ୍ଦ । ତେବେ ଉଭୟଙ୍କୁ ୧୦୦ କିମ୍ବା ୨୦୦ ମିଟର ପରିବର୍ତ୍ତେ କେବଳ ୬ ଜଣିଆ ୪ ଗୁଣା ୧୦୦ ମିଟର ରିଲେ ଦଳରେ ସୁଯୋଗ ମିଳିଛି।
ଅନ୍ୟପକ୍ଷରେ ତାମିଲନାଡୁର ଧନଲକ୍ଷ୍ମୀଙ୍କୁ ୧୦୦ ମିଟରରେ ସ୍ଥାନ ମିଳିଥିଲା ବେଳେ ୨୦୦ ମିଟରରେ କୌଣସି ଖେଳାଳି ବଛା ଯାଇନାହାନ୍ତି। ଚଳିତବର୍ଷ ଆଶାଜନକ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ଦୂତି ଏବେ ବି ୧୦୦ ମିଟର ମହିଳା ବିଶ୍ବ ମାନ୍ୟତାର ୭୧ତମ ସ୍ଥାନରେ ରହିଛନ୍ତି। ଧନଲକ୍ଷ୍ମୀ କିନ୍ତୁ ବିଶ୍ବ ମାନ୍ୟତାର ଶ୍ରେଷ୍ଠ ୧୦୦ ଭିତରେ ବି ନାହାନ୍ତି। ଏପରି ୧୦୦ ମିଟରରରେ ସ୍ଥଳେ ଦୂତିଙ୍କ ପରିବର୍ତ୍ତେ ଧନଲକ୍ଷ୍ମୀଙ୍କୁ ସୁଯୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।