ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଣ୍ଡଗାଁ ପଞ୍ଚାୟତର ଚାଷୀଙ୍କ ଜମିରେ ପାଣି ନମାଡିବା ଓ ପାଣି କର ଆସିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର | ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଭଣ୍ଡଗାଁ ପଞ୍ଚାୟତର ଅନନ୍ତସାହି ଏବଂ ଘଣ୍ଟାଶୀଳା ମୌଜାର ଗରିବ ଆଦିବାସୀ ଓ ହରିଜନ ଚାଷୀ ମାନେ ଶୁକ୍ରବାର ସକାଳ ପ୍ରାୟ ୧୧ ଘଟିକା ସମୟରେ ବାରିପଦା ସହର ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ଆସି ଅଭିଯୋଗ କରିଛନ୍ତି।
ଏହି ମୌଜା ଦେଇ ସରକାରୀ କେନାଲ ଅତିକ୍ରମ କରିଥିଲେହେଁ କେନାଳର ପାଣି କେବଳ ତଳ ଅଞ୍ଚଳକୁ ହିଁ ଯୋଗାଣ ହୋଇଥାଏ, ଉପର ଅଞ୍ଚଳକୁ ହେଉନାହିଁ। କିନ୍ତୁ ସରକାରଙ୍କ ପକ୍ଷରୁ କେନାଲ ଉପର ଏବଂ ତଳ ଅଞ୍ଚଳକୁ ଜଳ କର ବା ଟିକସ ଲାଗୁଥିବା ବେଳେ କେନାଲ ଉପର ଅଞ୍ଚଳର ବିଲକୁ ଜଳ ଯୋଗାଣ ହୋଇପାରୁ ନଥିଲେ ମଧ୍ୟ ପ୍ରଶାସନ ତରଫରୁ ଜଳକର ଟିକସ ଲାଗୁ କରାଯାଇଛି। ଏହାର ପ୍ରଭାବରେ ବର୍ତମାନ ଚାଷୀର ଟିକସ ବକେୟା କରି ହଜାର ହଜାର ଟଙ୍କାର ଋଣ କର ଅଛି ତେଣୁ ଗରିବ ଚାଷୀ ଏତେ ଟଙ୍କା ପ୍ରଦାନ କରିବାକୁ ସକ୍ଷମ ନ ହେବାରୁ ଖଜଣା ପାଉତି କାଢିପାରୁ ନାହିଁ |
ଯାହା ଦ୍ବାରା ସରକାରୀ ଯୋଜନାରୁ ବଞ୍ଚିତ ରହିବା ସହ ଆୟ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର ବାହାର କରିନପାରିବାରୁ ପିଲା ଛୁଆ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତେବେ ନ୍ୟାୟ ଦାବୀରେ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ।