ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରମାଗତ ତୃତୀୟ ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ରବିବାରଠାରୁ ଦୁଇ ଦିନ ଜୁନ ୯ ଏବଂ ୧୦ ପର୍ଯ୍ୟନ୍ତ ଜାତୀୟ ରାଜଧାନୀକୁ ନୋ ଫ୍ଲାଇଙ୍ଗ ଜୋନ ଭାବରେ ଘୋଷଣା କରିଛି। ତା’ସହ ଆସନ୍ତା ୯ ତାରିଖ ସଂଧ୍ୟା ୭ଟା ୧୫ରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା ମୋଦି କହିଛନ୍ତି । ଏହିଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିବେ ।
ଅପରପକ୍ଷେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିର୍ବାଚିତ କରାଯାଇଥିବା ସଂକ୍ରାନ୍ତୀୟ ଏକ ଚିଠି ମଧ୍ୟ ବିଜେପି ଏବଂ ଅଂଶୀଦାର ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଯାଇ ଏହି ଚିଠି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ସେପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ ସରକାର ଗଠନ ହେବ । ଏହି ଅବଧି ମଧ୍ୟରେ ପାରାଗ୍ଲାଇଡର୍, ପାରା-ମୋଟର, ହ୍ୟାଙ୍ଗ ଗ୍ଲାଇଡର୍, ୟୁଏଭି, ୟୁଏଏସ, ହଟ ଏୟାର ବେଲୁନ, ମାଇକ୍ରୋଲାଇଟ ବିମାନ ଏବଂ ରିମୋଟ ଚାଳିତ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ରହିବ। ଏଥିରେ ଅବହେଳା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ନିଷେଧାଦେଶ ଜାରି କରି ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା କହିଛନ୍ତି ଯେ କିଛି ସୂଚନା ରହିଛି ଯେ ଭାରତ ବିରୋଧୀ ଅପରାଧୀ, ସାମାଜିକ ବିରୋଧୀ ଉପାଦାନ କିମ୍ବା ଆତଙ୍କବାଦୀମାନେ ସାଧାରଣ ଜନତା, ମାନ୍ୟଗଣ୍ୟ ବ୍ୟକ୍ତି ତଥା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରନ୍ତି। ଦିଲ୍ଲୀ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ବୋଲି ଘୋଷଣା କରିବା ସହିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ନିକଟରେ ଡ୍ରୋନ ଏବଂ ଲେଜର ବିମ କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ବୋଲି ସେ କହିଛନ୍ତି।