ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ୍ ଅଧିନ ଭିତରଗଡ ମୌଜାର ଭଗିଆକନ୍ଧାରେ ରହିଥିବା ୮ଏକର ୨୮ ଡିସିମିଲ୍ ସ୍ଥିତିବାନ ଜମିକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ହଡପ କରିଥିବା ଅଭିଯୋଗ ହୋଇଛି | ଏହିସବୁ ଜମିକୁ ପାରାଦୀପ ବନ୍ଦର ବାହାର ରାଜ୍ଯର ଏକ କମ୍ପାନୀକୁ ଲିଜ୍ ରେ ଦେଇଥିବାର ଜଣା ପଡିଛି | ୧୯୩୦ ମସିହା ଜମିପଟ୍ଟା ନକଲ ଅନୁଯାଇ ଭିତରଗଡ ମୌଜାର ଭଗିଆକନ୍ଧାରେ ରହିଥିବା ୮ଏକର ୨୮ ଡିସିମିଲ୍ ସ୍ଥିତିବାନ ଜମିକୁ କାଠଅଡା, ପିତାମ୍ବରପୁର, ପାରାଦୀପଗଡ, ନରେନ୍ଦ୍ରପୁର ଓ ବାଲିଡିଆ ଗ୍ରାମର ଚାଷିମାନେ ଭୋଗଦଖଲ କରିଆସୁଛନ୍ତି |
କିନ୍ତୁ ୧୯୮୪ ମସିହାରେ କୁଜଙ୍ଗ ତହସିଲଦାର୍ ରାଜସ୍ବ ଆଇନ୍ ଉଲଙ୍ଘନ କରି ଜମି ମାଲିକଙ୍କ ଅଗୋଚରରେ ଚଞ୍ଚକତା କରି ଏହିସବୁ ଜମିକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ନାମରେ ଉଲ୍ଲେଖ କରିଦେଇଛନ୍ତି | ଏହାକୁନେଇ ଜମି ମାଲିକମାନେ ଜାଣିବାପରେ କୋର୍ଟ କଚେରୀରେ ମାମଲା କରିଥିଲେ | ମାନ୍ଯବର ଅଦାଲତ ସମସ୍ତ କାଗଜପତ୍ର ଯାଞ୍ଚକରି ଓ ଯୁକ୍ତି ଶୁଣିବା ପରେ ଜମି ମାଲିକ ମାନଙ୍କ ନାମରେ ପୁନର୍ବାର ରେକର୍ଡ ସଂଶୋଧନ କରିବା ପାଇଁ ଗତ ତା.୧୦.୦୧.୨୦୨୩ ରିଖ ଠାରୁ କୁଜଙ୍ଗ ତହସିଲଦାରଙ୍କୁ ଆଦେଶ ପ୍ରଦାନ କରିଛନ୍ତି | ଏହାପରେ ମଧ୍ଯ ଚାଷିମାନେ ପ୍ରାୟ ୫୦ରୁ ଅଧିକବାର କୁଜଙ୍ଗ ତହସିଲ୍ କୁ ଦୌଡି ଦୌଡି ନିରାଶ ହେଲେଣି | ଅର୍ଡର ଅନୁଯାଇ ୩ମାସ ମଧ୍ଯରେ ଜମିର ରେକର୍ଡ ସଂଶୋଧନ କରିବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା |
ହେଲେ ଏହା ଭିତରେ ୧ବର୍ଷ ୮ମାସ ବିତି ଯାଇଥିଲେ ମଧ୍ଯ କୁଜଙ୍ଗ ତହସିଲଦାର ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସଲାସୁତୁରା ରେ ଆମ ଜମିକୁ ତାମିଲନାଡୁର ତ୍ରିବେଣୀ କମ୍ପାନୀକୁ ଲିଜ୍ ରେ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚାଷିମାନେ ପ୍ରକାଶ କରିଛନ୍ତି | ଖୁବ୍ ଶିଘ୍ର ଆମ ଜମି ଆମକୁ ହସ୍ତାନ୍ତର ନହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବାସହ କୁଜଙ୍ଗ ତହସିଲ୍ ଆଗରେ ଧାରଣାରେ ବସିବୁ ବୋଲି ଚାଷିମାନେ ଚେତାବନି ଦେଇଛନ୍ତି |