ଆଗାମୀ କିଛି ଦଶନ୍ଧି କ୍ଷମତାକୁ ଫେରିବ ନାହିଁ କଂଗ୍ରେସ: ଗୁଲାମ ନବୀ ଆଜାଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବେଶ କିଛି ଦିନର ନିରବତା ପରେ  କଂଗ୍ରେସ ଦଳକୁ ପୁଣି ଟାର୍ଗେଟ କରିଛନ୍ତି ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବୀ ଆଜାଦ । କଂଗ୍ରେସ ଦଳକୁ ପୁଣି ଟାର୍ଗେଟ କରି ଗୁଲାମ ନବୀ କହିଛନ୍ତି ଯେ ଦଳରେ କିଛି ପରିବର୍ତ୍ତନ ହୋଇନାହିଁ। କଂଗ୍ରେସ ଆସନ୍ତା ଥର କଣ ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ କ୍ଷମତାକୁ ଫେରିପାରିବ ନାହିଁ । ଗୁଲାମ ନବୀଙ୍କ ପୁସ୍ତକ ‘ଆଜାଦ’ ରିଲିଜ୍ ହେବା ପୂର୍ବରୁ ସେ ଏକ ଜାତୀୟ ଟିଭି ଚ୍ୟାନେଲକୁ ଏକଥା କହିଛନ୍ତି । ଲୋକସଭା ସଭ୍ୟପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ କଂଗ୍ରେସରେ କିଛି ପରିବର୍ତ୍ତନ ହୋଇନାହିଁ। କଂଗ୍ରେସ ସେଠାରେ ଜିତିବ ବୋଲି ଆଶା ରଖିଛି ଯେଉଁଠାରେ ସେମାନଙ୍କର ଜଣେ ଶକ୍ତିଶାଳୀ ସ୍ଥାନୀୟ ନେତା ଅଛନ୍ତି। ନିର୍ବାଚନରେ ବିଜୟ ଓ ପରାଜୟରେ କଂଗ୍ରେସ ନେତୃତ୍ୱର କୌଣସି ଭୂମିକା ନାହିଁ। କୌଣସି ଆସନରେ କଂଗ୍ରେସ ନେତୃତ୍ୱର ପ୍ରଭାବ ନାହିଁ। ସେ କହିଛନ୍ତି ଯେ କଂଗ୍ରେସ ଯୋଗୁଁ ଅନେକ ଆଞ୍ଚଳିକ ଦଳ ହାରିଛନ୍ତି। ଗୁଲାମ ନବୀ ଆଜାଦ ମଧ୍ୟ ବିରୋଧୀଙ୍କ ଏକତା ସମ୍ଭାବନାକୁ ବି ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି। ଏକଦା ଜଣେ ଶକ୍ତିଶାଳୀ କଂଗ୍ରେସ ନେତା ଥିବା ଆଜାଦ ତାଙ୍କ ଆତ୍ମଜୀବନୀ ‘ଆଜାଦ’ରେ ହିମନ୍ତ ବିଶ୍ୱ ଶର୍ମା ଏବଂ ଅନ୍ୟ କିଛି ଘଟଣାଉପରେ ଆଲୋକପାତ କରିଛନ୍ତି। ଗୁଲାମ ନବୀ ଆଜାଦ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ କୁହାଯାଇଥିଲା ଯେ ଆସାମର ପ୍ରମୁଖ କଂଗ୍ରେସ ନେତା ହେମନ୍ତ ବିଶ୍ୱ ଶର୍ମାଙ୍କ ପାଖରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେ ବିଦ୍ରୋହ କରିବା ସହିତ ଦଳ ଛାଡିବାକୁ ଯାଉଛନ୍ତି, ସେତେବେଳେ କଂଗ୍ରେସ ନେତାଙ୍କ ସ୍ପଷ୍ଟ ଉତ୍ତର ଥିଲା ଯେ “ତାଙ୍କୁ ଯିବାକୁ ଦିଅ”।

ସୂଚନାଯୋଗ୍ୟ, ଗତବର୍ଷ କଂଗ୍ରେସର ହାତ ଛାଡିଲେ ଗୁଲାମ ନବୀ ଆଜାଦ । ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପାଇଁ ୫ ପୃଷ୍ଠାର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ । ଏହି ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଉପରେ ଖୁବ୍ ବର୍ଷିଥିଲେ ଆଜାଦ୍ । ଦଳରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଥିବା ସାଂଘାତିକ ଅଭିଯୋଗ ମଧ୍ୟ ଆଣିଥିଲେ । ତେବେ ଇସ୍ତଫା ପରେ ତାଙ୍କୁ କଂଗ୍ରେସ ପକ୍ଷରୁ ବହୁ ବୁଝା ସୁଝା କରାଯାଇଥିଲେ ବି କୌଣସି ଫଳପ୍ରଦ ହୋଇନଥିଲା । ଆଉ ଶେଷରେ କଂଗ୍ରେସର ହାତ ଛାଡିଥିଲେ ଗୁଲାମ ନବୀ । ତେବେ ଗୁଲାମ ନବୀ କଂଗ୍ରେସ ଛାଡିବା ପଛରେ ରାହୁଲ ଗାନ୍ଧୀଙ୍କ ବଡ ଭୂମିକା ଥିବା ତାଙ୍କ ଚିଠିିରୁ ସ୍ପଷ୍ଟ ବାରି ହୋଇପଡୁଛି । କାରଣ ଗୁଲାମ ଇସ୍ତଫା ପତ୍ରରେ ରାହୁଲଙ୍କ ଉପରେ ମଧ୍ୟବର୍ଷିଛନ୍ତି । ସେ କହିଛନ୍ତି ୨୦୧୩ରେ ରାହୁଲଙ୍କ କଂଗ୍ରେସର ଏଣ୍ଟ୍ରି ଦଳ ପାଇଁ ଦୁଭାଗ୍ୟଜନକ ଘଟଣା ଥିଲା । ଦଳକୁ ବର୍ବାଦ କରିବା ପଛରେ ରାହୁଲଙ୍କ ବଡ ଭୂମିକା ରହିଛି । ଦଳର ବରିଷ୍ଠ ନେତାଙ୍କୁ ଅଣଦେଖା କରିଛନ୍ତି ରାହୁଲ । ଅନୁଭବହୀନ ଲୋକଙ୍କ ପରାର୍ମଶ ମାନି ରାହୁଲ ଯେଉଁ ଭୁଲ କରିଛନ୍ତି ତାର ପରିଣାମ ଏବେ ଦଳକୁ ଭୋଗିବାକୁ ପଡୁଛି । କିଛି ଦିନ ପୂର୍ବରୁ ଆଜାଦ ଜମ୍ମୁକଶ୍ମୀର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପର କମିଟି ଛାଡିଥିଲେ । ଏହି ପଦରେ ତାଙ୍କୁ ମିଳିବାର କିଛି ଘଂଟା ପରେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Leave A Reply

Your email address will not be published.