୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ, ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ ଉଠାଇବ କଂଗ୍ରେସ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହେଉଥିବାବେଳେ କଂଗ୍ରେସ ଏକ ବଡ଼ ଘୋଷଣା କରିଛି । ଗୃହରେ ଗତ ଜୁନ ମାସରେ ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗ ଉଠାଇବ ବୋଲି ଦଳ ଘୋଷଣା କରିଛି ।

ରେଳ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବ କଂଗ୍ରେସ ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ଏହାବ୍ୟତୀତ ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ, ରାଜ୍ୟପାଳଙ୍କ ଜରିଆରେ ନିର୍ବାଚିତ ସରକାରଙ୍କ ଉପରେ ଆକ୍ରମଣ ଏବଂ ସାମ୍ବିଧାନିକ ଅନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣ ପ୍ରସଙ୍ଗ ଉଠାଇବ କଂଗ୍ରେସ । ଏହା ସହିତ ଦିଲ୍ଲୀ ଅଧ୍ୟାଦେଶ ସଂପର୍କରେ ଆମ ଆଦମି ପାର୍ଟିକୁ ସମର୍ଥନ କରିଛି କଂଗ୍ରେସ।

କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ଦିଲ୍ଲୀର ନିର୍ବାଚିତ ସରକାରଙ୍କ କ୍ଷମତା ସଂକୁଚିତ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତାହା ବିରୋଧରେ ବିଭିନ୍ନ ବିରୋଧୀ ଦଳଙ୍କ ସମର୍ଥନ ମାଗିଥିଲେ । ତେବେ କଂଗ୍ରେସ ଏ ସଂପର୍କରେ ନିରବତା ଅବଲମ୍ବନ କରୁଥିଲା ।

କିନ୍ତୁ ଏବେ ଆପକୁ କଂଗ୍ରେସର ସମର୍ଥନ ମିଳିଯାଇଛି । ଅନ୍ୟପକ୍ଷରେ ଟମାଟୋ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରସଙ୍ଗ କଥା ଉଠାଇବ କଂଗ୍ରେସ । ଏହା ସହିତ ପିଏମ୍ଏଲ୍ଏ ଅର୍ଥାତ୍ ଇଡି ଅଧୀନରେ ଜିଏସ୍ ଟି ଆଣିବା ବିରୋଧରେ କଂଗ୍ରେସ ସଂସଦରେ ସ୍ୱର ଉତ୍ତୋଳନ କରିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.