ବାପିଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ବିବାଦ: ବିଲାତ ବାବୁ ସଜାଇ ଅଜ୍ଞତାର ପରିଚୟ ଦେଲା ଅନୁଗୋଳ ପ୍ରଶାସନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାରା ଜୀବନ ହାତକଟା ସୂତାରେ ତିଆରି ଧୋତି ଏବଂ ଗଞ୍ଜିରେ ଜୀବନ ବିତାଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ(ବାପି)ଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ଦେଖାଦେଇଛି ବିବାଦ । ତାଙ୍କର ଆଦର୍ଶ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଗାନ୍ଧୀବାଦ ଥିଲା ତାଙ୍କର ଜୀବନ ସୂତ୍ର । ଏମିତିକି, ମୁଖ୍ୟମନ୍ତ୍ରୀ ଥିବା ସମୟରେ ବି ସେହି ସରଳ ଜୀବନଯାପନ ତାଙ୍କର ବ୍ୟକ୍ତିତ୍ବକୁ ପରିଭାଷିତ କରିଥିଲା। ହେଲେ, ତାଙ୍କ ଆବର୍ତ୍ତମାନରେ ଅନୁଗୁଳ ପୌର ପ୍ରଶାସନ ଏ ଗାନ୍ଧୀବାଦୀ ନେତାଙ୍କୁ ବିଲାତି ବାବୁ କରି ଦେଇଛି ।  ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ରତିମୂର୍ତ୍ତିରେ ବେକ ଚିପା ସାର୍ଟ, ବୁଟ୍‌ ସାଙ୍ଗକୁ ଯେଉଁଭଳି ଭାବରେ ପ୍ୟାଣ୍ଟ୍ ପିନ୍ଧାଇ ଫୁଲମାଳ ଦିଆଯାଇଛି, ସେଥିରୁ ଜିଲ୍ଲାର ମହାପୁରୁଷଙ୍କ ପ୍ରତି ଅନୁଗୁଳ ପୌରପାଳିକାର ଅସମ୍ମାନବୋଧତାକୁ କେବଳ ଦର୍ଶାଉ ନାହିଁ, ବରଂ ଅନୁଗୁଳର ପ୍ରଶାସନିକ ଡୋରି ସମ୍ଭାଳିଥିବା ବାବୁ ଅଫିସରମାନଙ୍କର ଜିଲ୍ଲାର ବରପୁତ୍ରମାନଙ୍କ ବିଷୟରେ କେତେ ଜ୍ଞାନ ରହିଛି, ତାହା ସ୍ପଷ୍ଟ କରୁଛି । ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତିଙ୍କ କହିବା ମୁତାବକ, କେବଳ ଶାସନରେ ଆସିବା ସମୟରେ ନୁହେଁ, କଲେଜ ବେଳୁ ତାଙ୍କର ଧୋତି ପ୍ରୀତି ରହିଥିଲା। ଧୋତି ପିନ୍ଧି ସେ ରେଭେନ୍‌ସା କଲେଜ ଯାଉଥିଲେ ।

ଯୌବନ ସମୟରୁ ଥିବା ଧୋତି ପିନ୍ଧା ଅଭ୍ୟାସ ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନରେ ଆହୁରି ଉଦ୍‌ଭାଷିତ ହୋଇଥିଲା। ୧୯୨୦ମସିହାରେ ଦେଶରେ ଗାନ୍ଧୀଜୀ ଯେତେବେ‌ଳେ ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନର ନାରା ଦେଲେ, ବାପି ସେବଠୁ ହାତ କଟା ସୂତାରେ ଧୋତି ତିଆରି କରି ପିନ୍ଧିବା ଆରମ୍ଭ କଲେ। ଧୋତି ସାଙ୍ଗକୁ ହାତକଟା ଗଞ୍ଜିଟିଏ, କେବେ କେବେ ପଞ୍ଜାବୀ ସାର୍ଟରେ ତାଙ୍କୁ ଦେଖିବାକୁ ମିଳିଥିଲା। ବୁଟ୍ ନୁହେଁ, ଜୋତାରେ ହିଁ ତାଙ୍କ ଜୀବନ କଟିଥିଲା। ଅନୁଗୁଳ କଣ, ପୂରା ଓଡ଼ିଶାବାସୀ ତାଙ୍କୁ କେବଳ ଏହି ପୋଷାକରେ ଚିହ୍ନିଛନ୍ତି। ଓଡ଼ିଶାରେ ଧୋତି ଏବଂ ବେକ ଚିପା ସାର୍ଟ ସହିତ ବୁଟ୍‌ ପିନ୍ଧି ନବବାବୁ କେବେ ବୁଲିଥିଲେ ଯେ, ଅନୁଗୁଳ ପୌର ପ୍ରଶାସନ ତାଙ୍କୁ ଧୋତି ବଦଳରେ ପ୍ୟାଣ୍ଟ୍‌ ପିନ୍ଧାଇ ଦେଇଛି? ବୋଲି ଖୋଦ୍‌ ନବବାବୁଙ୍କ ଝିଅ ଶ୍ରୀମତୀ ମହାନ୍ତି ପ୍ରଶ୍ନ କରିଛନ୍ତି। କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ନୁହେଁ, ଅନୁଗୁଳ ଜିଲ୍ଲାର ଅନ୍ୟତମ ବରପୁତ୍ର ତଥା ସ୍ବାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ବିକୃତ କରି ପୌର ପ୍ରଶାସନ ତିଆରି କରିଥିଲା । ସ୍ବର୍ଗତ ପ୍ରଧାନ ବି ଥିଲେ ଧୋତିପିନ୍ଧା ମଣିଷ । ତାଙ୍କୁ ବି ପୌର ପ୍ରଶାସନ ପ୍ୟାଣ୍ଟ୍‌ ପିନ୍ଧାଇ ଦେଇଥିଲା । ଯଦିଓ ପରବର୍ତ୍ତୀ ସମୟରେ ଏ ତ୍ରୁଟିକୁ ପୌର ପ୍ରଶାସନ ମାର୍ଜିତ କରିଛି, କିନ୍ତୁ ନବବାବୁଙ୍କ ପ୍ରତି କରାଯାଇଥିବା ତ୍ରୁଟିକୁ ନ ସୁଧାରିବା ଅନୁଗୁଳର ନବବାବୁ ପ୍ରେମୀ ଯୁବଗୋଷ୍ଠୀ, ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି ।

Leave A Reply

Your email address will not be published.