ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ଵାଡ୍। ବୁଧବାର ରାତିରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।
୧୯୮୩ ଦିନିକିଆ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ହେଉଛନ୍ତି ଗାଏକ୍ବାଡ।୧୯୭୫ ମସିହାଠାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ୪୦ ଟେଷ୍ଟ, ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ୧୯୯୭ ମସିହାରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ସମୟରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୱିକେଟ ଅକ୍ତିଆର କରି ଚର୍ଚ୍ଚାକୁ ଆସିଥିଲେ । ଗାଏକ୍ବାଡଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିସିସିଆଇ ସମ୍ପାଦକ ଜୟ ଶାହା ଶୋକ ପ୍ରକାଶ କରିଛନ୍ତି।
୨ ଥର ଅଂଶୁମାନ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ସେ ପ୍ରଶିକ୍ଷକ ଥିବା ସମୟରେ ଭାରତୀୟ ଦଳ ଇଣ୍ଡିପେଣ୍ଡେନ୍ସ କପ୍ ଜିତିଥିଲା, ଅନୀଲ କୁମ୍ବଲେ ଏକ ଇନିଂସରେ ୧୦ଟି ୱିକେଟ୍ ନେଇଥିଲେ ଏବଂ ୨୦୦୦ ଚମ୍ପିଆନ୍ସ ଟ୍ରଫିରେ ଭାରତ ରନର୍ସଅପ୍ ହୋଇଥିଲା। ୨୨ ବର୍ଷ ଧରି ଅଂଶୁମାନ ଘରୋଇ କ୍ରିକେଟ୍ ଖେଳିଥିଲେ। ସେ ୨୦୬ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୧୨୧୩୬ ରନ୍ କରିଥିଲେ। ସେ ଜାତୀୟ ମନୋନୟନକାରୀ ମଧ୍ୟ ଥିଲେ। ଅଂଶୁମାନ ଗାଏକ୍ଵାଡ୍ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିସିସିଆଇ ସମ୍ପାଦକ ଜୟ ଶାହା ଓ ବହୁ କ୍ରିକେଟ୍ ବ୍ୟକ୍ତିତ୍ବ ଶୋକ ପ୍ରକାଶ କରିଛନ୍ତି।