ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବାତ୍ୟା ନେଇ ଚର୍ଚ୍ଚା ହେଉଥିଲା ତା ଉପରୁ ପରଦା ଟାଣିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୁୟ ମହାପାତ୍ର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୁୟ ମହାପାତ୍ର କହିଛନ୍ତି ବାତ୍ୟା ନେଇ ଆମେ ଏବେଯାଏ କୌଣସି ସୂଚନା ଦେଇନାହୁଁ । ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ ବୋଲି କହିଛନ୍ତି ଡିଜି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘୁର୍ଣ୍ଣିବଳୟ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ।
ବର୍ତ୍ତମାନ ପରିସ୍ଥିତିରେ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗ କୌଣସି ସତର୍କ ସୂଚନା ଜାରି କରି ନାହିଁ। କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି IMD ଡିଜି । ବର୍ତ୍ତମାନ ୧୦ ଟି ମଡେଲ ମଧ୍ୟରୁ ଗୋଟିଏ ଦୁଇଟି ମଡେଲ ବାତ୍ୟା ଦର୍ଶାଉଛି । IMD ଏହା ଉପରେ ନଜର ରଖିଛି । ଏହା ସତ ଯେ ଅକ୍ଟୋବର ମାସ ଏକ ବାତ୍ୟା ପ୍ରବଣ ମାସ । ତେଣୁ ଆମେ ଏହା ଉପରେ ନଜର ରଖିଛୁ ।