ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ଘଟଣା: ୪ରେ ବିଶାଳ ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ରାଜନୈତିକ ରୂପ ନେଉଛି । ପୋଲିସ ପ୍ରଶାସନ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ସୁସ୍ମିତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ପୂର୍ବତନ ବିଧାୟକ ଜର୍ଜ ତିର୍କୀ । ସୁସ୍ମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସେ ଆନ୍ଦୋଳନ କରବାକୁ ଧମକ ଦେଇଛନ୍ତି । ଏ ନେଇ ଆଗାମୀ ୪ ତାରିଖରେ ବିଶାଳ ଆନ୍ଦୋଳନ ସହ ଘେରାଉ କରିବାକୁ ସେ ଚେତାବନୀ ଦେଇଛନ୍ତି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ସୁସ୍ମିତା ମିଞ୍ଜ । ସେ ଏକ ହୋଟେଲରେ ରହୁଥିଲେ । ହେଲେ ହୋଟେଲର ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପୂର୍ବତନ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି  ସୁସ୍ମିତା ମୃତ୍ୟୁ ମାମଲାକୁ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ବୋଲି କହିବା ସହ ଅଭିଯୁକ୍ତମାନଙ୍କୁ ପ୍ରଶାସନ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ଜର୍ଜ ତିର୍କୀ। ସେ କହିଛନ୍ତି, ସୁସ୍ମିତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିଲା।  ତାଙ୍କ ଦେହରେ ସିଗାରେଟ୍ ଚେଙ୍କ ଭଳି ଦାଗ ବି ଥିଲା। ଏସବୁ କେମିତି ରହିଲା? ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । କାହା ଇସାରାରେ ଏହାକୁ ଆତ୍ମହତ୍ୟା ରୂପ ଦିଆ ଯାଉଛି ବୋଲି ଜର୍ଜ ତିର୍କୀ ଅଭିଯୋଗ କରିଛନ୍ତି ।

ସୂଚନାଥାଉ କି, ଗତ ୧୬ ତାରିଖରେ ଏକ ସରକାରୀ ବୈଠକରେ ଯୋଗଦେବା ପରଠାରୁ ସୁସ୍ମିତା ମାନସିକ ଚାପରେ ଥିଲେ ।   ସରକାରୀ ବୈଠକରେ ଯୋଗ ଦେବାକୁ ଆସି ସର୍କିଟ ହାଉସରେ ନ ରହି ସେ ରାଧିକା ରିଜେନ୍ସି ହୋଟେଲରେ  ରହିଥିଲେ। ତେବେ ସୁସ୍ମିତା କାହିଁକି ହୋଟେଲରେ ରହିଲେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସୁସ୍ମିତା ମାନସିକ ଚାପରେ ରହୁଥିଲେ । ଏକଥା ପରିବାର ଲୋକେ ଜାଣି ପାରୁ ନ ଥିବାବେଳେ ଗୁରୁଣ୍ଡିଆ ବିଡିଓ ସିଡିପିଓ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ଜର୍ଜ ତିର୍କୀ ।

Leave A Reply

Your email address will not be published.