ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜାଙ୍କ ପରଲୋକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ (ଏଲି)। ୭୦ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ଘଟିଛି। ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ସେ ବାସିନ୍ଦା ଥିଲେ।

ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ଗୋପାଳ ରହୁଥିଲେ। ଗତକାଲି  ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଝାରସୁଗୁଡ଼ାରର ଏକ  ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି।  ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନାମ ଗୋପାଳ(ଶ୍ରୀକୃଷ୍ଣ) ହେଲେ ବି ତାଙ୍କୁ କଂସ ମହାରାଜ ଭାବରେ ସମସ୍ତେ ଜାଣୁଥିଲେ। ୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସେ ୨୩ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ।

ପେଶାରେ ସେ ଜଣେ ପୁଲିସ ଅଧିକାରୀ ଥିଲେ। ହେଲେ ନିଶା ତାଙ୍କର ଅଭିନୟ। ତାଙ୍କ ଅଭିନୟ ଦେଖିବାକୁ ସେ ସମୟରେ କଂସ ଦରବାରରେ ବହୁ ଭିଡ଼ ଜମୁଥିଲା। ନଗର ପରିକ୍ରମା ସମୟରେ ହାତୀ ଉପରେ ବସି ବୁଲି ନିଜ ଉପସ୍ଥିତ ବାକଚାତୁରିରେ ଜରିମାନା ପକାଇ ସେ ଦର୍ଶକଙ୍କ ମନ କିଣୁଥିଲେ। ତାଙ୍କ ସମୟର ଅନେକ କଥା ଆଜି ବି କିମ୍ବଦନ୍ତୀ ହୋଇ ରହିଛି। ଗୋପାଳଙ୍କ ଅଭିନୟ ପାଇଁ ସେ ଅନେକ ନାମୀ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ।

Comments are closed.