ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁଣିଥରେ ଆଇଆଇଟି ମାଡ୍ରାସ ବିବେଚିତ ହୋଇଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱର୍କ (ଏନଆଇଆର୍ଏଫ୍) -୨୦୨୪ ଘୋଷଣା କରାଯାଇଛି । ଓଭରଅଲ ରାଙ୍କିଂର ଟପ୍ -୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି। ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ଆଗରେ ରହିଛି ‘ସୋଆ’।
୬୦.୭୩% ସ୍କୋର୍ ସହ ‘ସୋଆ’ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ରହିଛି। ଏହା ପଛରେ କିଟ୍ ୫୯.୯୪% ସ୍କୋର୍ ସହ ୨୮ତମ ସ୍ଥାନରେ ଅଛି। ୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି | ଟପ୍-୧୦୦ ବିଶ୍ୱବିଦ୍ୟାଳୟ ମାନ୍ୟତାର ୧୪ରେ ସୋଆ, ୧୫ରେ କିଟ୍ ରହିଛି। ଇଞ୍ଜିନିୟରିଂ ମାନ୍ୟତାର ୧୯ତମ ସ୍ଥାନରେ NIT ରାଉରକେଲା ଏବଂ ୨୬ତମ ସ୍ଥାନରେ ସୋଆ ରହିଛି। ଏହି ତାଲିକାରେ କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି। ଟପ୍ ୧୦୦ ସାମଗ୍ରିକ ଶିକ୍ଷାନୁଷ୍ଠାନ ରାକିଂରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୨୪ ତମ ସ୍ଥାନରେ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୨୮ ତମ ଓ ଏନ୍ଆଇଟି ରାଉରକେଲା ୩୪ ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମର ଟପ ୧୦ ଶିକ୍ଷାନୁଷ୍ଠାନ ଭିତରେ ଆଇଆଇଟି ବାରାଣସୀ ସ୍ଥାନ ପାଇଛି।
ଏହି ଶିକ୍ଷାନୁଷ୍ଠାନ ଇଞ୍ଜିନିୟରିଂ ବର୍ଗ ରାଙ୍କିଙ୍ଗର ୧୦ ନମ୍ବର ସ୍ଥାନରେ ଅଛି। ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ସାଇନ୍ସ ୧ ନମ୍ବରରେ ଥିବା ବେଳେ ଜେଏନୟୁ ଦ୍ୱିତୀୟ ନମ୍ବରରେ ରହିଛି । ବିଶ୍ୱବିଦ୍ୟାଳୟ ବର୍ଗର ୩ୟ ସ୍ଥାନରେ କ୍ରମାଗତ ତୃତୀୟ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ରହିଛି । ବିଶ୍ୱବିଦ୍ୟାଳୟ ବର୍ଗରେ ବି ଶ୍ରେଷ୍ଠ ୧୦୦ ଭିତରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନାହିଁ । ଏଥିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୧୪ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନରେ ରହିଛନ୍ତି ବୋଲି ଏନଆଇଆର୍ଏଫ୍ ରାକିଂରେ ପ୍ରକାଶ ପାଇଛି।