ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳ ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ।
ତେବେ ସୂଚନା ମୁତାବକ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଇଥିବା ବିବେକ ଦେବରାୟ ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥନୀତି ସଂସ୍ଥାନରେ କୁଳାଧିପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେ ନୀତି ଆୟୋଗର ସଦସ୍ୟ ଥିଲେ । ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି । ଦେଶର ଆର୍ଥିକ ବ୍ୟବସ୍ଥାବୁ ସୁଦୃଢ କରିବା ନିମନ୍ତେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବେକ ଦେବରାୟଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ଲେଖିଛନ୍ତି ଯେ, ମୁଁ ଡକ୍ଟର ଦେବରାୟଙ୍କୁ ବହୁତ ବର୍ଷରୁ ଜାଣିଛି । ମୁଁ ତାଙ୍କ ଅନ୍ତଃଦୃଷ୍ଟି ଏବଂ ଏକାଡେମିକ ଚର୍ଚ୍ଚାକୁ ସବୁବେଳେ ମନେରଖିବି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ତେବେ ବିବେକ ଦେବରାୟଙ୍କର ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବଡ ଅବଦାନ ରହିଛି । ଖାସ୍ କରି ଆର୍ଥିକ ନୀତିକୁ ଆକାର ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ।