କଟକ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ଦୀପୁ-ଓମ୍ ହତ୍ୟାକଣ୍ତ ମାମଲାରେ ଆଜି ଚାଉଳିଆଗଞ୍ଜ ଥାନାର ତତ୍କାଳୀନ ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ତେବେ ସାକ୍ଷ୍ୟ ଗ୍ରହଣ ଅସମାପ୍ତ ରହିବାରୁ ଆସନ୍ତାକାଲି ପୁଣି ଶୁଣାଣି ହେବା ପାଇଁ ଧାର୍ଯ୍ୟ ହୋଇଛି। ଆଜି ସୁଶୀଲ ଧଳସାମନ୍ତକୁ ବାଲେଶ୍ବର ଜେଲରୁ ଓ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗୀର ଜେଲରୁ ଅଣାଯାଇ ଆଜି କଡା ସୁରକ୍ଷା ବ୍ୟବସ୍ଥାରେ କଟକ ଦୌରା ଅଦାଲତରେ ହାଜର କରାଯାଇଥିଲା। ମାମଲାର ପୁନଃ ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ଅସ୍ଥାୟୀ ଭାବେ ସୁଶୀଲକୁ ଝାରପଡ଼ା ଜେଲରେ ଓ ସୁଶାନ୍ତକୁ ଚୌଦ୍ବାର ଜେଲରେ ରଖାଯାଇଛି। ସେହିପରି ଜେଏମଏଫସିରେ ଏକ ଡେବିଟ କାର୍ଡ ମାମଲାରେ ସାକ୍ଷ ଗ୍ରହଣ ହୋଇଥିଲା। ପ୍ରଶାନ୍ତ ସାହୁଙ୍କୁ ଜେରା କରଯାଇଥିଲା। ଖୁଣ୍ଟକଟା ଫାର୍ମ ହାଉସରେ ଦୀପୁ ଓ ଓମକୁ ପିଟିପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡଖଣ୍ତରେ ପୋଡି ଦିଆଯାଇଥିବା ଅଭିଯୋଗ ରହିଛି। ଧଳସାମନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।