ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ।ସଂସଦ ଭବନରୁ ମାତ୍ର ୨୦୦ ମିଟର ଦୂରରେ ଅଗ୍ନିକାଣ୍ଡ।ନିଆଁ ଲାଗିଥିବା ସ୍ଥାନରେ ରୁହନ୍ତି ଅନେକ ସାଂସଦ।ରାଜଧାନୀ ଦିଲ୍ଲୀର ଡକ୍ଟର ବିଶମ୍ବର ଦାସ ମାର୍ଗରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଶନିବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଆପାର୍ଟମେଣ୍ଟଟି ସଂସଦ ଭବନରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ ଏବଂ ଏଥିରେ ଅନେକ ରାଜ୍ୟସଭା ଏମ୍ପିଙ୍କ ଫ୍ଲାଟ ରହିଛି।
ଅଗ୍ନିଶମ ବିଭାଗକୁ ଅପରାହ୍ନ ୧ଟା ୨୦ରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ ମିଳିଥିଲା ଏବଂ ତୁରନ୍ତ ଘଟଣାସ୍ଥଳକୁ ଛଅଟି ଦମକଳ ଗାଡ଼ି ପଠାଯାଇଥିଲା। ଅଗ୍ନିକାଣ୍ଡ ତଳ ମହଲାରୁ ଆରମ୍ଭ ହୋଇ ପ୍ରଥମ ଏବଂ ଦ୍ୱିତୀୟ ମହଲାକୁ ବ୍ୟାପିଯାଇଥିଲା। ଭୟଙ୍କର ନିଆଁ ଏବଂ ଧୂଆଁ ଯୋଗୁ ନିକଟସ୍ଥ ବାସିନ୍ଦା ଏବଂ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ପୋଲିସ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ଆରମ୍ଭ କରିଥିଲେ।