ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୧ଦଫା ଦାବି ନେଇ ଟ୍ରେଡ଼ ୟୁନିଅନ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦର ଡାକରା ଦିଆଯାଇଛି। ଏହାକୁ ନେଇ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା ମାନଙ୍କ ଦ୍ୱାରା ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୧୦ଗୋଟି ଟ୍ରେଡ଼ ୟୁନିଅନ, ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କର୍ମଚାରୀ ଫେଡ଼ରେସନ ପକ୍ଷରୁ ମିଳିତ ଭାବେ ଦିନ ତମାମ ବନ୍ଦ ନେଇ ଡାକରା ଦେଇଥିଲେ ସୁଦ୍ଧା ବାରିପଦାରେ ବନ୍ଦ ପ୍ରଭାବ ଶୂନ୍ୟ ରହିଥିଲା।
ତେବେ ଏନେଇ ସିପିଆଇ, ସିପିଏମ, ଏଆଇଟିୟୁସି, କଂଗ୍ରେସ, ସିଆଇଟିୟୁ, ଆଇଏନଟିୟୁସି, ନିଖିଳ ଭାରତ କୃଷକ ସଭା ଆଦି ଅନ୍ୟାନ୍ୟ ଦଳର କର୍ମୀମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ବୋଲି ଟ୍ରେଡ଼ ୟୁନିୟନ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁକରି ଶ୍ରମିକଙ୍କ ଉନ୍ନତି ନିମନ୍ତେ ପଦକ୍ଷେପ ଗ୍ରହଣ ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ ନିମନ୍ତେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି କୁହାଯାଇଛି। କେନ୍ଦ୍ର ସରକାର କୃଷକ, ଶ୍ରମିକ, ଜନଗଣକୁ ବିରୋଧ କରି କର୍ପରେଟ ହାତକୁ ସବୁ କିଛି ଟେକି ଦେଉଛନ୍ତି। ଯାହା ଫଳରେ କୃଷକ, ଶ୍ରମିକ ଓ ମଧ୍ୟବିତ୍ତ ପରିବାର ଅନେକ ଦୁଃଖ କଷ୍ଟ ପାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଏଥି ସହିତ ଚାଷୀର ଉତ୍ପାଦିତ ମୂଲ୍ୟକୁ ଆଇନରେ ପ୍ରଣୟନ କରିବେ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟ କେନ୍ଦ୍ର ସରକାର ତାହା ପୂରଣ କରିଲେ ନାହିଁ। କେନ୍ଦ୍ର ସରକାର ଗଣତନ୍ତ୍ର, ସମ୍ବିଧାନ ଓ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଉନାହାଁନ୍ତି। ଔଷଧ, ଖାଦ୍ୟ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରୁ ଜିଏସଟି ଛାଡ଼, ଖାଦ୍ୟ ସୁରକ୍ଷା, ମାଗଣା ଶିକ୍ଷା, ସର୍ବନିମ୍ନ ମଜୁରୀ ମାସକୁ ୨୬ହଜାର ପ୍ରଦାନ, ଶ୍ରମିକଙ୍କ ଇପିଏଫ ଓ ଇଏସଆଇ ବ୍ୟବସ୍ଥା ଆଦି ୨୧ଦଫା ଦାବି ରହିଛି।
ଏଥି ସହିତ ଶ୍ରମିକ ସ୍ଵାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ, ଲକ୍ଷ୍ମୀପୁର କୃଷକ ଗଣହତ୍ୟା ଷଡ଼ଯନ୍ତ୍ରରେ ଅଭିଯୁକ୍ତ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀକୁ ବହିଷ୍କାର, ଆଶା, ଅଙ୍ଗନବାଡ଼ି, ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା ସହ ମାସିକ ୨୬ହଜାର ଟଙ୍କା ମଜୁରୀ, ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି, କୃଷକ ମାନଙ୍କୁ ଋଣରୁ ମୁକ୍ତି, ଭାଗଚାଷୀ ଆଇନ୍ ପ୍ରଣୟନ, ମନରେଗାରେ ଶ୍ରମିକଙ୍କୁ ବାର୍ଷିକ ୨୦୦ ଦିନର କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ, ଜଙ୍ଗଲ ଜମି ଅଧିକାର ଆଇନକୁ କଡ଼ାକଡ଼ି ଲାଗୁ କରିବା, ପୁରୁଣା ପେନସନ ଲାଗୁ କରିବା,ଠିକା ଶ୍ରମିକ, କର୍ମଚାରୀ ପ୍ରଥା ଉଛେଦ କରି ସ୍ଥାୟୀ ନିଯୁକ୍ତି, ଦରଦାମକୁ ନିୟନ୍ତ୍ରଣ କରିବା, କାମ କରିବାର ଅଧିକାରକୁ ସମ୍ବିଧାନର ମୌଳିକ ଅଧିକାର ଭୂକ୍ତ କରିବା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଭଳି ସବୁ କ୍ଷେତ୍ରରେ ଶ୍ରମିକମାନଙ୍କ ପଞ୍ଜୀକରଣ ଓ ସହାୟତା ପ୍ରଦାନ, ସଡ଼କ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଡ୍ରାଇଭର ମାନଙ୍କ ପାଇଁ ଆଣିଥିବା ସଂଶୋଧିତ ଆଇନ ପ୍ରତ୍ୟାହାର, ଜାତୀୟ ସମ୍ପତ୍ତିର ଘରୋଇକରଣ ବନ୍ଦ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷା, ଦିଲ୍ଲୀ ସୀମାରେ କୃଷକ ମାନଙ୍କ ଉପରେ ଆକ୍ରମଣ ବନ୍ଦ କରିବା ଇତ୍ୟାଦି ଦାବି ପୂରଣ ପାଇଁ ପ୍ରତିବାଦ ସ୍ବରୂପ ବନ୍ଦ ଡାକରା ଦିଆଯାଇଛି।
କାର୍ଯ୍ୟକ୍ରମରେ ସିପିଆଇ ତଥା ଏଆଇଟିୟୁସି ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ନିରୋଜ ଲୋଚନ ଦାସ, ସିଆଇଟିୟୁ ଜିଲ୍ଲା ସଭାପତି ରବି ଗୋସ୍ୱାମୀ, ସମ୍ପାଦକ ଅମଲ ଦେ, ଏଚମସର ସିନଗଲତା ମାଝୀ, ଏଆଇୟୁଟିୟୁସିର ପିତାମ୍ବର ନାଏକ ପ୍ରମୁଖ ସରକାରଙ୍କ ପୁଞ୍ଜିବାଦୀ ତୁଷ୍ଟିକରଣ ନୀତିକୁ ସମାଲୋଚନା କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ କାହୁଁ ଚରଣ ବେହେରା, ଶ୍ରୀକାନ୍ତ ସାମଲ, ସୁଦର୍ଶନ ରାଉଳ, ସୁମିତ୍ରା ସିଂ, ଚିତ୍ରମଣି ସିଂ, ଅଖିଳ ଭାରତୀୟ ଆଦିବାସୀ ମହାସଭାର ରଥ ସିଂ, ଚିତ୍ରମଣୀ ସିଂ, ରୀନା ପୂର୍ତ୍ତି, ସୁଭଦ୍ରା, ଶମ୍ଭୁ ସିଂ, ଶୁକୁରା, ବାସୀ ସିଂ, ମୟୂରଭଞ୍ଜ ଟ୍ରାନ୍ସପୋର୍ଟ କର୍ମଚାରୀ ୟୁନିଅନର ରଘୁନାଥ ପଣ୍ଡା, ଅଶୋକ ଭଞ୍ଜ, ଗଙ୍ଗାଧର ସାମଲ, ମନୋରଞ୍ଜନ ପରିଡା, ପାଚିକା ପକ୍ଷରୁ ଶକୁନ୍ତଳା ମହାନ୍ତ, ପଦ୍ମାବତୀ, କୁମଲତା, ଗାୟତ୍ରୀ ମହାପାତ୍ର, ରଜନୀ ସାମଲ, ବାସନ୍ତୀ ନାଏକ, ସନ୍ଧ୍ୟା ରାଣୀ, ଗୀତା ପଣ୍ଡିତ, ଏଆଇୟୁଟିୟୁସିର ସର୍ଦାର ସିଂ, ଫୁଲ ଚାନ୍ଦ, କଂଗେସ ପକ୍ଷରୁ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ, ଗଣେଶ ବେହେରା, ସତ୍ୟ ସୁନ୍ଦର ଦଳନାଏକ, ବାଦଲ ହେମ୍ବ୍ରମ, ଦୀପକ୍ ଦାସ, ସତ୍ୟକାମ ସେନାପତି, ପ୍ରଦୀପ ମିଶ୍ର, ଇତିଶ୍ରୀ, ସସ୍ମିତା ମିଶ୍ର, ବିକାଶ ମହାଭୋଇ, ଶିବ ବିନ୍ଧାଣି, ଶୁଭ ସ୍ମିତା ଜେନା ପ୍ରମୁଖ ସାମିଲ୍ ଥିଲେ।