ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଧାରଣା ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଦିବାସୀ ହିତରେ ସମ୍ବିଧାନ, ଆଇନ ଲାଗି କରିବା ଦାବିରେ ଧାରଣା ପ୍ରଦର୍ଶନ କରାଯାଇଛି। ଆଦିବାସୀ ସେଙ୍ଗେଲ ଅଭିଯାନ ଏବଂ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି। ଏଥି ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। କୌଣସି ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ, ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥା ଲାଗୁ ନାହିଁ।

ଏଥ‌ିପାଇଁ ପୂର୍ବରୁ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ପଞ୍ଚାୟତ ପ୍ରତିନିଧି ପର୍ଯ୍ୟନ୍ତ ଦୋଷୀ ଅଟନ୍ତି। ଅନ୍ୟପକ୍ଷରେ ଆଦିବାସୀ ସ୍ବଶାସନ ବ୍ୟବସ୍ଥା ନାମରେ ବଂଶାନୁଗତ ନିଯୁକ୍ତ ମାଝୀ-ପାର୍ଗାନା (ଗ୍ରାମମୁଖ୍ୟ) ଆଦି ମଧ୍ୟ ଦୋଷୀ ଅଟନ୍ତି। ନିଜକୁ ରାଜା ଭାବି ରାଜତାନ୍ତ୍ରୀକ ଏକଛତ୍ରବାଦୀ ଗୁଣ୍ଡାରାଜ ଶାସନ କରୁଛନ୍ତି। ଏହି କାରଣରେ ନିଶା ସେବନ, ଅନ୍ଧବିଶ୍ବାସ, ଡାହାଣୀ ପ୍ରଥା, ଆଦିବାସୀ ମହିଳା ବିରୋଧୀ ମାନସିକତା, ଇର୍ଷା-ଦ୍ବେଷ, ଭୋଟ୍ କ୍ରୟ ବିକ୍ରୟ, କଙ୍ଗାରୁ କୋର୍ଟ ଦ୍ବାରା ଜୋରଜବରଦସ୍ତି ଜରିମାନା, ସାମାଜିକ ବାସନ୍ଦ କରିବା ଆଦି ଚାଲୁଅଛି। ଏଥିପାଇଁ ଆଦିବାସୀ ସେଙ୍ଗେଲ ଅଭିଯାନ ଅବିଳମ୍ବେ ସୁଧାର କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି।

ଦାବି ଅନୁଯାୟୀ, ସମସ୍ତ ଆଦିବାସୀ ଗ୍ରାମ-ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ଶୀଘ୍ର ଲାଗୁ କରିବା, ସାମାଜିକ ବାସନ୍ଦ, କଙ୍ଗାରୁ କୋର୍ଟ, ଡାହାଣୀ ପ୍ରଥା ସମାପ୍ତ ଲାଗି ସମ୍ବିଧାନ ଆଇନ ଲାଗୁ କରିବା, ମାଝୀ-ପାର୍ଗାନା ଗୁଣ୍ଡାରାଜରୁ ଆଦିବାସୀ ଗ୍ରାମ ସମାଜକୁ ମୁକ୍ତ କରିବା, ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ ଆଇନ ମାନୁନଥିବା ମାଝୀ-ପାର୍ଗାନା ଏବଂ ସମ୍ବିଧାନ ଆଇନ ଲାଗୁ କରୁନଥିବା ପ୍ରଶାସନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଓଡିଶା ସେଙ୍ଗେଲ ପାର୍ଗାନା ସହ ସେଙ୍ଗେଲ ଜୋନାଲ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.