ଅନଲାଇନ ଗେମ୍ ନେଲା ଜୀବନ; ୧୪ ମହଲାରୁ ଡେଇଁ ପଡ଼ିଲେ ନାବାଳକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନଲାଇନ୍‌ ଗେମ୍‌ର ମାୟା ଉଜାଡ଼ିଦେଲା ସଂସାର। ଏହାର ମାୟାରେ ପଡ଼ି ସବୁକିଛି ଭୁଲିଗଲେ ୧୬ ବର୍ଷୀୟ ନାବାଳକ । ଧୀରେ ଧୀରେ ହିଂସ୍ର ହୋଇ ଉଠିଲେ। ବଦଳିଗଲା ସ୍ୱାଭବ ଓ ଆଚରଣ । ଆଉ ଶେଷରେ ଅନଲାଇନ୍‌ ଗେମ୍‌ରେ ମିଳିଥିବା ଟାକ୍ସ ଯୋଗୁ ୧୪ ମହଲାରୁ ଡେଇଁ ଜୀବନ ହାରିଦେଲେ ନାବାଳକଜଣକ । ଆଉ ପଛରେ ନିଜ ବାପାମା’ଙ୍କ ପାଇଁ ଛାଡ଼ି ଦେଇ ଯାଇଥିବା ସୁଇସାଇଡ ନୋଟ୍‌ରେ ‘ଲଗ୍‌ ଆଉଟ୍’ ଲେଖିଥିବା ଜଣାଯାଇଛି।

ପିମ୍ପ୍ରି ଚିଞ୍ଚୱାଡର ରେଭେଟରେ ସ୍ଥିତ ଏକ ବିଲ୍ଡିଂର ୧୪ ମହଲାରୁ ଡେଇଁ ଜଣେ ୧୬ ବର୍ଷର ବାଳକ ମୃତ୍ୟୁବରଣ କରିଛି। ଆଉ ନିଜ ବାପାମା’ଙ୍କ ପାଇଁ ଛାଡ଼ି ଦେଇଯାଇଛି ସୁଇସାଇଡ ନୋଟ୍‌। ଯେଉଁଥିରେ ‘ଲଗ୍‌ ଆଉଟ୍’ ଲେଖିଥିବା ଜଣାଯାଇଛି। ପୋଲିସର ସୂଚନା ଅନୁଯାୟୀ, ମୃତ ବାଳକ ତାଙ୍କ ପରିବାର ସହିତ ରହୁଥିବା ବେଳେ ପ୍ରାୟ ରାତି ୧ଟା ସମୟରେ ଏହି ଅଘଟଣ ଘଟିଛି | ଆତ୍ମହତ୍ୟା ପୂର୍ବରୁ ନାବାଳକଜଣକ ନିଜ ନୋଟବୁକ୍‌ରେ ସ୍କେଚ ଓ ନକ୍ସ ତିଆରି କରିଥିବା ଦେଖିବାକୁ ମିଳିଛି । ମୃତ ନାବାଳକଙ୍କ ଲାପଟପ୍‌ର ପାସୱାର୍ଡ ତା’ ବାପାମା’ଙ୍କୁ ଜଣା ନ ଥିବାରୁ ଏବେ ତାହାକୁ ଖୋଲିବାକୁ ସାଇବର ଏକ୍ସପର୍ଟଙ୍କ ସହାୟତା ଲୋଡ଼ିଛି ପୁଲିସ୍‌।

ମୃତ ନାବାଳକଙ୍କ ମା’ଙ୍କ କହିବାନୁଯାୟୀ, ଗତ ୬ ମାସ ମଧ୍ୟରେ ପୁଅ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ଏପରି ଆକ୍ରାତ୍ମକ ହୋଇ ଯାଇଥିଲା ଯେ ତା’ ସମ୍ମୁଖକୁ ଯିବାକୁ ଭୟ ଲାଗୁଥିଲା। ସେ ଗେମ୍‌ ନିଶାରେ ପଡ଼ି ଏପରି ହୋଇଥିବା ଜାଣିବା ପରେ ତା’ଠୁ ଲାପ୍‌ଟପ୍‌ ରଖି ଦେଇଥିଲି । ମାତ୍ର ସେ ମୋ’ଠୁ ତାହାକୁ ଛଡ଼ାଇ ନେଇଥିଲା। ସେ ଏତେ ବଦଳି ଯାଇଥିଲା ଯେ ତାକୁ ନିଆଁକୁ ଡର ଲାଗୁ ନ ଥିଲା ଓ ସେ ଛୁରୀ ସହ ଖେଳୁଥିଲା। ଆଜିକାଲି ଦୁନିଆରେ ସବୁ କିଛି ଡିଜିଟାଲ ହୋଇଗଲାଣି। ପିଲାଙ୍କ ଉପରେ କୌଣସି ପ୍ରକାର ଚାପ ପକାଇବା ସମ୍ଭବ ହୋଇ ପାରୁନି। ତେଣୁ ଏପରି ଗେମ୍‌ ସରକାର ବ୍ୟାନ୍‌ କରିବା ଉଚିତ ।

Leave A Reply

Your email address will not be published.