ହାଇକୋର୍ଟଙ୍କ ନିର୍ଦେଶ ଥାଇ ମଧ୍ୟ ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନାହିଁ: ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦେଶ ଥାଇ ମଧ୍ୟ ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏହି ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଦାୟର ହୋଇଛି ଅଦାଲତ ଅବମାନନା ମାମଲା। ଏହି ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ଏବଂ ୭ ଦିନ ଭିତରେ ଜବାବ ରଖିବାକୁ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା ନାହିଁ। ବିଶେଷ କରି ଶ୍ରୀଜୀୟୁ ମାନଙ୍କ ଦର୍ଶନ ଲାଗି କୌଣସି ବ୍ୟବସ୍ଥା ନଥିବାରୁ ଭିନ୍ନକ୍ଷମ ଭକ୍ତ ମାନେ ଅସୁବିଧାରେ ପଡୁଛନ୍ତି। ଏହିସବୁ ସମସ୍ୟାକୁ ଉଲ୍ଲେଖ କରି ଜିତେନ୍ଦ୍ର ବିଶ୍ୱାଳ ନାମକ ଭିନ୍ନକ୍ଷମ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଆବେଦନର ଶୁଣାଣି କରି ଗତବର୍ଷ ଫେବୃୟାରୀ ମାସ ୨୮ ତାରିଖରେ ହାଇକୋର୍ଟ କେତେକ ନିର୍ଦେଶ ଦେଇଥିବା ବେଳେ ହ୍ବୀଲ ଚେୟାରରେ ଦର୍ଶନ ପାଇଁ ଆସୁଥିବା ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ମାନଙ୍କ ଲାଗି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ପୁରୀ ଜିଲ୍ଲାପାଳଙ୍କୁ ଏହି ନିର୍ଦେଶ ଦେଇଥିଲେ ହାଇକୋର୍ଟ। ନିର୍ଦେଶ କାର୍ଯ୍ୟକାରୀ ନହେବାରୁ ଆବେଦନକାରୀ ଗତ ଡିସେମ୍ବରରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ନିର୍ଦେଶକୁ ୧ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାଲାଗି ଗତ ଡିସେମ୍ବର ୨୨ ତାରିଖରେ ସାନି ନିର୍ଦେଶନାମା ଜରିକରିଥିଲେ ହାଇକୋର୍ଟ। କିନ୍ତୁ ଏହା ଭିତରେ ୬ ମାସ ବିତିଯାଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇ ନ ଥିବାରୁ ଆବେଦନାକାରୀ ଜିତେନ୍ଦ୍ର ବିଶ୍ୱାଳ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ଯାହାର ଶୁଣାଣି କରି ଆଜି ଗଜପତି ମହାରାଜା ଙ୍କ ସମେତ ଅନ୍ୟ ପକ୍ଷ ମାନଙ୍କୁ ହାଇକୋର୍ଟ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।