ଇଣ୍ଟରନେଟ ପାଇଁ ବିନାଶକାରୀ ସାଜିବ ସୌର ଝଡ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବେଳେବେଳେ ସୌରଝଡ଼ ଏତେ ବିନାଶକାରୀ ହୋଇଥାଏ ଯେ ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇପାରେ। ଓ୍ବାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସୂର୍ଯ୍ୟ ୨୦୨୫ ସୁଦ୍ଧା ‘ସୋଲାର ମାକ୍ସିମମ୍‌'(ସର୍ବାଧିକ ସକ୍ରିୟ ବା ଚରମ ସ୍ଥିତି)ରେ ପହଂଚିବ। ଏହି ବିନାଶକାରୀ ସ୍ଥିତି ପାଇଁ ସାମ୍ପ୍ରତିକ ଡିଜିଟାଲ ଓ୍ବାଲର୍‌ଡ ପ୍ରସ୍ତୁତ ହୋଇ ନ ଥିବାବେଳେ ‘ଇଣ୍ଟରନେଟ ଆପୋକାଲିପ୍ସ’ ଭଳି ଶବ୍ଦ ସାମାଜିକ ଗଣମାଧ୍ୟମର ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିଯୋଗୁ ଅନେକ ଭ୍ରାନ୍ତ ଧାରଣା ସୃଷ୍ଟି ହେବାରେ ଲାଗିଛି।

ଏହାକୁ ନେଇ ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା ଚେତାବନୀ ଜାରି କରିଛି। ତେବେ ୨୦୨୫ ସୁଦ୍ଧା ସୌରଝଡ଼ ଯୋଗୁ ଇଣ୍ଟରନେଟ ସବୁଦିନ ପାଇଁ ବନ୍ଦ ହୋଇଯିବା ଆଶଙ୍କା ଉପରେ ଏହି ସ୍ପେସ୍‌ ଏଜେନ୍ସି ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ। କିନ୍ତୁ ଏଭଳି ସ୍ଥିତି ଉପୁଜିଲେ ସବୁବେଳେ ଇଣ୍ଟରନେଟ ଦୁନିଆରେ ମଜ୍ଜି ରହୁଥିବା ‘ଅଲ୍‌ଓ୍ବେଜ୍‌ ଅନ୍‌ଲାଇନ୍‌’ ବର୍ଗର ଲୋକେ କ’ଣ କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେହି କେହି ଏହାକୁ ଅତିରଞ୍ଜିତ ପ୍ରଚାର ବୋଲି ବର୍ଣ୍ଣନା କରୁଥିବାବେଳେ ପ୍ରକାଶିତ ରିପୋର୍ଟ କହୁଛି, ସୌରଝଡ଼ ପ୍ରଭାବରେ ଇଣ୍ଟରନେଟ ଠପ୍‌ ହୋଇଯିବା ବିଷୟ ସମ୍ପୂର୍ଣ୍ଣ କାଳ୍ପନିକ ନୁହେଁ।

ଏକ ସୌରଝଡ଼ ପୃଥିବୀରେ ପ୍ରଳୟ ସୃଷ୍ଟି କରିପାରେ। ପରସ୍ପର ସହ ଯୋଡ଼ିହୋଇଥିବା ବିଶ୍ୱରେ ଏଭଳି ବିରଳ ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ। ୧୮୫୯ରେ କ୍ୟାରିଙ୍ଗ୍‌ଟନ୍‌ ଇଭେଣ୍ଟ ଯୋଗୁ ଟେଲିଗ୍ରାଫ୍‌ ଲାଇନ୍‌ଗୁଡ଼ିକରୁ ବିଦ୍ୟୁତ୍‌ ବିଚ୍ଛୁରଣ (ସ୍ପାର୍କ) ହେବାରୁ ଅପରେଟରମାନେ ବିଦ୍ୟୁତ୍‌ ଆଘାତ ପାଇଥିଲେ। ସେହିପରି ୧୯୮୯ରେ ସୌରଝଡ଼ କାନାଡାର କ୍ୟୁବେକ୍‌ ପାଓ୍ବାର ଗ୍ରୀଡ୍‌କୁ ଅଚଳ କରିଦେଇଥିଲା। କାଲିଫର୍ନିଆ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ସଙ୍ଗୀତା ଅବ୍‌ଦୁ ଜ୍ୟୋତି କହିଛନ୍ତି, ଏପରି ଚରମ ସ୍ଥିତିକୁ ପୂର୍ବରୁ ଆମେ ସାମ୍ନା କରିନାହୁଁ। ତେଣୁ ସମ୍ଭାବ୍ୟ ସୌରଝଡ଼ ଆମ ଭିତ୍ତିଭୂମିର କେତେ କ୍ଷତି କରିପାରେ ତାହା କାହାକୁ ଜଣାନାହିଁ। ଅନେକ ମାସ ଧରି ଏହାର ପ୍ରଭାବ ରହିଲେ କେବଳ ଆମେରିକାରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଦୈନିକ କ୍ଷତି ୧୧ ବିଲିୟନ୍‌ ଡଲାରରେ ପହଞ୍ଚତ୍ପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.