ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାମନଗର ଉପ ନିର୍ବାଚନରେ କାହାର କେତେ ଦମ୍ ? ଆଜି ଖୋଲିଲା ଇଭିଏମ୍ ପେଡ଼ି । ଆରମ୍ଭ ହୋଇଯାଇଛି ଗଣତି । ରେଜଲ୍ଟ ଡେ ପାଇଁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଭୋଟ ଗଣତି ଚାଲିଛି । ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲାଟ ପେପର ଓ ପରେ ଇଭିଏମ ଗଣତି କରାଯାଇଛି । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଉଣ୍ଟିଂ ପରେ ୫ଟି ବୁଥର ଭିଭିପିଏଟିକୁ ମେଳ କରାଯାଇଛି । ପୂରା ପ୍ରକ୍ରିୟା ନିରୀକ୍ଷଣ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଅବଜରଭର ନିଯୁକ୍ତ ହୋଇଛନ୍ତି। ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବ୍ଜରଭର ରହିବେ । ଭୋଟ ଗଣତି ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ଅଷ୍ଟମ ରାଉଣ୍ଡ ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ଏଯାଏ ମୋଟ ୭ ହଜାର ୭୫୩ ଭୋଟରେ ଆଗୁଆ ଥିବା ଜଣାଯାଇଛି। ଲଗାତାର ଭାବେ ବିଜେପି ପ୍ରାର୍ଥୀ ପ୍ରତି ରାଉଣ୍ଡରେ ଆଗୁଆ ରହି ଆସିଛନ୍ତି। ତେବେ ଏନେଇ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ।
ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଭିତରୁ କିଏ ବିଜୟୀ ହେଉଛନ୍ତି, ତାହା ଦେଖିବାକୁ ପ୍ରବଳ ଉତ୍କଣ୍ଠା ଲାଗି ରହିଛି।