ଦେଶର ୭୦୦ରୁ ଅଧିକ ଜିଲ୍ଲାର ୧୦ ହଜାର ସ୍କୁଲକୁ ୧୦୦ଟି ଲେଖାଁଏ ଫୁଟବଲ ବଣ୍ଟନ କରାଯିବ:ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ । ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏ ସମ୍ପର୍କୀତ ବୈଠକରେ ଯୋଗଦେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ୍ ପରମାଣିକ, ଫିଫାର ସେକ୍ରେଟାରୀ ଜେନେରାଲ ଫାତମା ସମୌରା, ୟୁନିସ୍କୋ, ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ, ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଦେଶରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଅନୁଷ୍ଠିତ ହେବା ଖୁସିର ବିଷୟ । ଦେଶରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଓ ଛାତ୍ରଛାତ୍ରୀଙ୍କୁ ଫିଟ୍ ରଖିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଏ ଦିଗରେ ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।

ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲର ବ୍ୟାପକ ନେଟଓ୍ୱାର୍କକୁ ଦୃଷ୍ଟିରେ ରଖି ଦେଶରେ ଥିବା ୭୦୦ରୁ ଉର୍ଦ୍ଧ୍ୱ ଜିଲ୍ଲାକୁ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମରେ ଯୋଡ଼ିବା ପାଇଁ ନିଷ୍ପତି ନିଆଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନବୋଦୟ ବିଦ୍ୟାଳୟ ସଂଗଠନ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଫିଫା, ଏଆଇଏଫଏଫ ଓ ୟୁନିସ୍କୋ ଦେଶର ୧୦ ହଜାର ସ୍କୁଲକୁ ୧୦୦ ଲେଖାଁଏ ଫୁଟବଲ ଯୋଗାଇ ଦେବ । ଜାତୀୟ ଶିକ୍ଷା ନୀତି -୨୦୨୦ର ଉଦ୍ଦେଶ୍ୟକୁ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମକୁ ସହାୟକ ହେବା ସହ କ୍ରୀଡ଼ା ଆଧାରିତ ପାଠପଢ଼ାକୁ ପ୍ରୋତ୍ସାହନ ଦିଆଯିବ । ଏହି ପଦକ୍ଷେପ ଦେଶରେ କ୍ରୀଡ଼ା ସଂସ୍କୃତିକୁ ଗତି ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦକ୍ଷତାର ବିକାଶ କରାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଭାରତ କ୍ରୀଡ଼ାର ମହାଶକ୍ତି ହେବା ସହ ଫିଟ୍ ଇଣ୍ଡିଆକୁ ସୁନିଶ୍ଚିତ କରି ବିକଶିତ ଭାରତ ଗଢ଼ିବାରେ ଶିକ୍ଷା ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଏଆଇଏଫ୍ଏଫ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ାର ପ୍ରୋତ୍ସାହନ ଏବଂ ଫୁଟବଲକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ,ସ୍କୁଲ ସ୍ତରରେ ଫୁଟବଲକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ନେଉଥିବାରୁ ଭାରତ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଫିଫାର ସେକ୍ରେଟାରୀ ଜେନେରାଲ ଧନ୍ୟବାଦ ଜଣାଇଛନ୍ତି । ସେହିପରି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ସ୍ତରରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କ୍ରୀଡା ରାଷ୍ଟ୍ରମନ୍ତ୍ରୀ ପରମାଣିକ ପ୍ରେସମିଟରେ କହିଥିଲେ ।

ଅନ୍ୟ ପଟେ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ ଫୁଟ୍‌ବଲ ଫର୍‌ ଅଲ୍‌ର ଶୁଭାରମ୍ଭ କରିଛନ୍ତି। ତୃଣମୂଳସ୍ତରରୁ ଫୁଟବଲ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ମାଧ୍ୟମରେ ରାଜ୍ୟର ୨ହଜାର ସ୍କୁଲରେ ୪୩ହଜାର ଫୁଟବଲ ବଣ୍ଟନ କରାଯିବ। ଫୁଟବଲ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା। ବିଶ୍ୱରେ ଏହା ଲୋକଙ୍କୁ ଏକାଠି କରିପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶରେ ଫୁଟବଲର ବିକାଶ ପାଇଁ ଏହା ସହାୟକ ହେବ ବୋଲି ସେ କହିଛନ୍ତି। କିଟ୍‌ ଓ କିସ୍‌ ସହଯୋଗରେ ରାଜ୍ୟରେ ଫୁଟ୍‌ବଲ ଫର୍‌ ଅଲ୍‌କୁ ଆରମ୍ଭ କରିଛି ଫିଫା। ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲକୁ ପ୍ରୋତ୍ସାହନ ଦେବା ପାଇଁ ଫିଫା ଲକ୍ଷ୍ୟ ରଖିଛି। ଏହି ଅବସରରେ ଫିଫା ୧୭ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌କୁ ଓଡ଼ିଶା ଆୟୋଜନ କରିବା ଗର୍ବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.