ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରୁଛି ଜାତୀୟ ଦଳ ମାନ୍ୟତା କଟିବା ଯୋଗୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫୋନ କରିବା ଅଭିଯୋଗ ପ୍ରସଙ୍ଗ । ଠିକ ଏଭଳି ସମୟରେ ବିଜେପି ନେତା ତଥା ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଆଉ ଏକ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ମମତାଙ୍କୁ ଦୁର୍ନୀତିର ରାଣୀ ମହୁମାଛି କହିଛନ୍ତି ଶୁଭେନ୍ଦୁ ଅଧିକାରୀ। ଦୁର୍ନୀତି ମାମଲାର ସମ୍ମୁଖୀନ ହେଉଥିବା ଅଭିଯୁକ୍ତ ମାନଙ୍କୁ ମମତା ସମର୍ଥନ କରୁଛନ୍ତି ବୋଲି ଶୁଭେନ୍ଦୁ ଅଭିଯୋଗ କରିଛନ୍ତି। ତେଣୁ ବିଜେପିର ଏଭଳି ଅଭିଯୋଗ ବିରୋଧରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସବୁ ଜିଲ୍ଲାରେ ଜନସଭା କରିବ ବୋଲି ସୂଚନା ମିଳିଛି। ପୂର୍ବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପଶ୍ଚିମବଙ୍ଗକୁ ଟାର୍ଗେଟ କରିଥିବା ଦେଖାଯାଇଛି। ଏପରିକି ମମତାଙ୍କଠୁ ହାରିଥିଲେ ମଧ୍ୟ ବିରୋଧି ଦଳ ଆସନରେ ବସି ନିଜକୁ ଦୃଢ଼ କରିଛି ଦଳ। ଏପରିକି ଆଗାମୀ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ପଶ୍ଚିମବଙ୍ଗରୁ ପ୍ରଚାର ଆରମ୍ଭ କରିଛନ୍ତି। ମମତାଙ୍କ ବିରୋଧରେ ବର୍ଷିଛନ୍ତି ଅମିତ। ଏପରିକି ତୃଣମୂଳ କଂଗ୍ରେସକୁ ହଟାଇବାକୁ ଆହ୍ୱାନ ଦେଇଛନ୍ତି।
ଏଭଳି ସ୍ଥିତିରେ ଶୁଭେନ୍ଦୁଙ୍କ ଲଗାତର ମମତାଙ୍କୁ ଟାର୍ଗେଟ ବେଶ ରୋଚକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗକୁ ନେଇ ସିବିଆଇ ମମତାଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କରିବାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା। ସୁପ୍ରିମକୋର୍ଟ ରହିତାଦେଶ ଦେଇଥିଲେ ମଧ୍ୟ ସିବିଆଇ ଅଭିଷେକଙ୍କୁ ସମନ କରିବା ଯୋଗୁ ଆଲୋଚନା ଜୋର ଧରିଥିଲା। ଆଗାମୀ ନିର୍ବାଚନ ପାଇଁ ବିରୋଧୀ ଏକ ହୋଇ ଅଭିଯାନ ଆରମ୍ଭ କରିଥିବା ବେଳେ ବିରୋଧୀ ଗୋଷ୍ଠୀଙ୍କୁ ଚିନ୍ତାରେ ପକାଇଛି ବିଜେପିର ଆଭିମୁଖ୍ୟ ।