ଓଡ଼ିଆ ନ୍ୟୁଜ୍: ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାଶମହାପାତ୍ରଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିରରୁ କିପରି ମହାପ୍ରଭୁଙ୍କ ଦାରୁ କାଠ ବାହାରକୁ ଗଲା ଏବଂ ଦଇତାପତି ସେବାୟତ କାହିଁକି ମହାପ୍ରଭୁଙ୍କ ଦାରୁକୁ ପଶ୍ଚିମବଙ୍ଗରେ ସ୍ଥାପନ କଲେ ତାହାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏଫଆଇଆର ଦିଆଯାଇଛି ।ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା ।
ନବକଳେବର ସମୟରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ସମୟରେ ବଳିଯାଇଥିବା ଦାରୁକୁ ପଶ୍ଚିମବଙ୍ଗକୁ ପଠାଇବା ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶିନ ପଟ୍ଟନାୟକ । ସେହିପରି ଦିଘାକୁ ଜଗନ୍ନାଥ ଧାମ ବୋଲି କୁହାଯାଉଥିବା ନେଇ ଆପତ୍ତି ଉଠାଇବା ସହ ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଲାଗି ଦାବି କରିଛି ଜଗନ୍ନାଥ ସେନା ।