ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ହାଇକୋର୍ଟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଏକ ବଡ କଥା ସାମ୍ନାକୁ ଆସିଛି । ଓପିଏସସି ମେରିଟ୍ ଲିଷ୍ଟ ହାଇକୋର୍ଟ ଖାରଜ କରିଛନ୍ତି । ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲିଖିତ ପରୀକ୍ଷାର ମୋଟ ମାର୍କ ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।୭୯୬ଟି ଏଏସଓ ପଦବୀ ପାଇଁ ଗତବର୍ଷ ଅଗଷ୍ଟରେ ପରୀକ୍ଷା ହୋଇଥିଲା । ପରୀକ୍ଷା ମେରିଟ୍ ଲିଷ୍ଟ ଆସିବା ପରେ ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାପରେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା ।
ସୂଚନାଥାଉକି , ନିକଟରେ ମାନ୍ୟବର ହାଇକୋର୍ଟ ଏଏସଓ ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ ଲଗାଇଥିଲେ । କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ କଲେ ବି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ ଲଗାଇଥିଲେ । କୋର୍ଟଙ୍କ ବିନା ଅନୁମତିରେ ଓପିଏସସି ଫଳ ପ୍ରକାଶ କରିପାରିବନାହିଁ ବୋଲି ହାଇକୋର୍ଟ ନିଦ୍ରେ୍ଧଶ ଦେଇଥିଲେ ।
ପ୍ରକାଶ ଯେ ଏଏସଓ ପରୀକ୍ଷାରେ ଅନିୟମିତା ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏଏସଓ ପରୀକ୍ଷାରେ ଅନିୟମିତତା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହାକୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୋକ୍ତି ରଖି ଥିଲେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏଏସଓ ପରୀକ୍ଷା ସ୍ୱଚ୍ଛ ଭାବେ ହୋଇଛି । ବ୍ୟାପକ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେକରିଥିଲେ ସତ୍ୟଜିତ ମହାନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୬ ନିୟମ ଅନୁସାରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଲିଷ୍ଟ ଓ ଆନସର କି’ ଅପଲୋଡ କରାଯିବ । ଏଏସଓ ପରୀକ୍ଷାକୁ ନେଇ ଯାହା ବି ଅଭିଯୋଗ ରହିଛି ତାହ ଉପରେ ପଦକ୍ଷେପ ନେବୁ ବୋଲି ସତ୍ୟଜିତ୍ କହିଥିଲେ । ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଦେଖି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ସତ୍ୟଜିତ ।