ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବୀର ସାବରକର ଓ ଟିପୁ ସୁଲତାନଙ୍କୁ ନେଇ ଲାଗି ରହିଛି ବିବାଦ । ଏହି ବିବାଦ ଏବେ ଚରମସୀମାରେ ପହଞ୍ଚିଛି । କର୍ଣ୍ଣାଟକରେ ବୀର ସାବରକର ଓ ମୈସୁର ଶାସକ ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ବିବାଦ ଉପୁଜିଛି। ଶିବମୋଗାରେ ସାବରକର ଏବଂ ସୁଲତାନଙ୍କ ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା, ଯାହା ପରେ ପ୍ରଶାସନ ସମଗ୍ର ସହରରେ ଧାରା ୧୪୪ ଲାଗୁ କରିଛି। ସ୍ୱାଧୀନତା ଦିବସଅର୍ଥାତ୍ ସୋମବାର ଦିନ ଏଭଳି କିଛି ଘଟଣା ଘଟିଥିଲା।
ସୂଚନା ମୁତାବକ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକର ଆମୀର ଅହମ୍ମଦ ଛକରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଏକ ଗୋଷ୍ଠୀ ସାବରକରଙ୍କ ବ୍ୟାନର୍ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ସେହି ଖୁଣ୍ଟରେ ଟିପୁ ସୁଲତାନଙ୍କୁ ବ୍ୟାନର ଲଗାଇବାକୁ ଉକ୍ତ ଗୋଷ୍ଠୀ ଚାହୁଥିଁଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ପରେ ଏହା ସଂଘର୍ଷର ରୂପ ନେଇଥିଲା।
ସେପଟେ ବ୍ୟାନର ବିବାଦକୁ ନେଇ ସହରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ ହଟାଇବା ପାଇଁ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଯେଉଁଠି ଟିପୁ ଓ ସାବରକରଙ୍କ ବ୍ୟାନର ଲଗାଇବା ପାଇଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା ସେଠାରେ ପ୍ରଶାସନ ପକ୍ଷରୁ ଜାତୀୟ ପତାକା ଲଗାଇ ଦିଆଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ।