ମତଦାନ ସମୟରେ ଆଇନ ଶୃଙ୍ଖଳା ବଜାୟ ପାଇଁ ୧୪୪ ଧାରା ଜାରି କଲେ ଜିଲ୍ଲାପାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାରେ ଚଳିତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ମୁକ୍ତ ଏବଂ ନିରପେକ୍ଷ ଭାବରେ ସଂଚାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ମୋରଡା, ଉଦଳା, ରାଇରଙ୍ଗପୁର, ସାରସକଣା, ଯଶିପୁର ବିଧାନସଭା କ୍ଷେତ୍ରରେ ୧୪୪ଧାରା ଜାରି କରିଛନ୍ତି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ମଇ ୩୦ ଠାରୁ ୧୪୪ ଧାରା ଜାରି କରିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ନିର୍ଦ୍ଦେଶ ଅନୁଯାୟୀ, ଜୁନ ୧ତାରିଖରେ ଉପରୋକ୍ତ ୮ଟି ନିର୍ବାଚନ ମଣ୍ଡଳୀ ଠାରେ ହେବାକୁ ଥିବା ମତଦାନ ପାଇଁ ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ଶିନ୍ଦେ ଏହି ୧୪୪ ଧାରା ଜାରି କରିଛନ୍ତି। ସନ୍ଧ୍ୟା ୬ଟାରୁ ଆରମ୍ଭ କରି ନିର୍ବାଚନ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ମତଦାନ କେନ୍ଦ୍ର ମାନଙ୍କରେ ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଧାରା ପ୍ରଣୟନ ଅନୁଯାୟୀ, ପ୍ରିଜାଇଡିଂ ଅଫିସରଙ୍କୁ ବାଦ ଦେଇ ମତଦାନ କେନ୍ଦ୍ର ଭିତରେ କୌଣସି ବ୍ୟକ୍ତି ମୋବାଇଲ୍ ଫୋନ୍ ବ୍ୟବହାର କରିବେ ନାହିଁ। କୌଣସି ବ୍ୟକ୍ତି ମତଦାନ କେନ୍ଦ୍ରର ୨୦୦ ମିଟର ବ୍ୟାସାର୍ଦ୍ଧରେ କୌଣସି ରାଜନୈତିକ କାର୍ଯ୍ୟକଳାପ କରିବେ ନାହିଁ। କୌଣସି ବ୍ୟକ୍ତି ନିର୍ବାଚନ ସଂପର୍କରେ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରାକୁ ଡାକିବା, ଆୟୋଜନ କରିବା, ଯୋଗଦେବା, କିମ୍ବା ସମ୍ବୋଧିତ କରିବେ ନାହିଁ। ସିନେମାଟୋଗ୍ରାଫ୍, ଟେଲିଭିଜନ୍ କିମ୍ବା ଅନ୍ୟାନ୍ୟ ସମାନ ଉପକରଣ ମାଧ୍ୟମରେ କୌଣସି ବ୍ୟକ୍ତି ନିର୍ବାଚନ ବିଷୟ କୌଣସି ଜନସାଧାରଣଙ୍କୁ ପ୍ରଦର୍ଶନ କରିବେ ନାହିଁ।

ମତଦାନ ଶେଷ ହେବା ପାଇଁ ସ୍ଥିର ହୋଇଥିବା ସମୟ ସହିତ ୪୮ଘଣ୍ଟା ମଧ୍ୟରେ ଉପରୋକ୍ତ ନିର୍ବାଚନମଣ୍ଡଳୀରେ କୌଣସି ମ୍ୟୁଜିକାଲ୍ କନ୍ସର୍ଟ କିମ୍ବା କୌଣସି ନାଟ୍ୟ ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କିମ୍ବା ଆୟୋଜନ କରି କୌଣସି ବ୍ୟକ୍ତି, ସେହି ଅଂଚଳର ଜନସାଧାରଣଙ୍କ ନିକଟରେ ପ୍ରଚାର କରିବେ ନାହିଁ। ଏହି ପରିପ୍ରେକ୍ଷୀରେ ପୁଲିସ ଅଧୀକ୍ଷକ ଉକ୍ତ ନିର୍ଦ୍ଦେଶନାମା ଘୋଷଣା କରିବେ ଏବଂ ତୁରନ୍ତ ସଂପୃକ୍ତ ସ୍ଥାନର ଆରକ୍ଷୀ ଅଧିକ୍ଷକ ମାଧ୍ୟମରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଅବଗତ କରାଇବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.