ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାଖେଇ ଆସିଲାଣି ମା’ କାଳୀଙ୍କ ପୂଜା । ଏଥିପାଇଁ ସବୁ ଠି ଚଳଚଞ୍ଚଳ । ମା’ଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି ମହାମାୟା ମା’ କାଳୀଙ୍କ ପୂଜା । ଏହି ପୃଥିବୀ ପୃଷ୍ଠରୁ ଦୁଷ୍ଟ, ଦୂରାଚାରୀ ବା ରାକ୍ଷସ ଶକ୍ତିକୁ ସମ୍ପୂର୍ଣ୍ଣ ନାଶ କରିବାକୁ ମା’ କାଳୀଙ୍କ ଆବିର୍ଭାବ । ସର୍ବଶକ୍ତିମୟୀ ମା’କାଳୀଙ୍କୁ ଉପାସନା କରିବା ମାତ୍ରେ ମନରୁ ଦୁଃଖ, ଭୟ ଦୂର ହେବା ସହିତ ଶତ୍ରୁନାଶ କରିବାକୁ ଭକ୍ତମାନେ ଆରୋଗ୍ୟ ଲାଭ ମଧ୍ୟ କରିଥାଆନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଓଳାଭର ଗ୍ରାମରେ ଅନୁଷ୍ଠିତ ହେଉଥିବା କାଳୀପୂଜା ହିନ୍ଦୁ ଓ ମୁସଲମାନ ଧର୍ମର ଜନସାଧାରଣଙ୍କୁ ମଧ୍ୟ ଏକତାର ସୂତ୍ରରେ ବାନ୍ଧି ପାରିଛି । ଏହି ଗ୍ରାମରେ ଦୀର୍ଘ ୭୩ ବର୍ଷ ଧରି ଉଭୟ ଧର୍ମର ଜନସାଧାରଣ ମହାସମାରୋହରେ ପାଳନ କରିଥାଆନ୍ତି ଶକ୍ତିମୟୀ ମା’ କାଳୀଙ୍କ ପୂଜା ।
ଓଳାଭରର ଦକ୍ଷୀଣକାଳୀ ମନ୍ଦିରରେ ଥିବା ମା’କାଳୀଙ୍କୁ ଉଭୟ ସମ୍ପ୍ରଦାୟର ଜନସାଧାରଣ ଉପାସନା କରି ଆସୁଛନ୍ତି । ୧୯୪୬ ମସିହାରେ ଗଠିତ ହୋଇଥିଲା ମା’ କାଳୀଙ୍କ କମିଟି । ସ୍ଥାନୀୟ ହିନ୍ଦୁ ମାନଙ୍କ ସହିତ ମୁସଲମାନ ଜନସାଧାରଣ ଏକାଠି ମିଶି ଏହି କାଳୀପୂଜା ଉତ୍ସବକୁ ଦୀର୍ଘ ୧୪ ଦିନ ଧରି ପାଳନ କରିଥାଆନ୍ତି । ଓଳାଭର କାଳୀକମିଟିର ସଭାପତିଙ୍କ କହିବାନୁଯାୟୀ, ଭାରତର ସ୍ୱାଧୀନତା ହାସଲର ଗୋଟିଏ ବର୍ଷ ପୂର୍ବରୁ ଦେଶର ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ବ୍ୟାପୁଥିବା ବେଳେ ଠିକ୍ ସେହିସମୟରେ ଓଳାଭର ଗ୍ରାମରେ ଥିବା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ଏକାଠି ମିଶି ପାଳୁଥିଲେ କାଳୀପୂଜା ।
୧୯୪୬ ମସିହାରେ ଓଳାଭର ଗ୍ରାମର ଶେଖ୍ କରାମତ୍ ଅଲ୍ଲୀ ନାମକ ଜଣେ ମୁସଲମାନ ବ୍ୟକ୍ତି ହିନ୍ଦୁ ଓ ମୁସଲମାନ ଜନସାଧାରଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନର ଲକ୍ଷ୍ୟ ନେଇ ଆରମ୍ଭ କରିଥିଲେ ଏହି କାଳୀପୂଜା । ଦେଶ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଆଜି ପର୍ୟ୍ୟନ୍ତ ଓଳାଭରଠାରେ ଦୀର୍ଘ ୧୪ ଦିନ ବ୍ୟାପୀ ମହାଆଡ଼ମ୍ବରରେ ଉଭୟ ସମ୍ପ୍ରଦାୟର ଜନସାଧାରଣ ମିଳିମିଶି ମା’କାଳୀଙ୍କ ପୂଜା ଉତ୍ସବ ପାଳନ କରିବା ପ୍ରକୃତରେ ସମସ୍ତଙ୍କ ଲାଗି ଏକ ଉଦାହରଣ ପାଲଟିଛି । ଭାଇଚାରାର ପର୍ବ ଏଠାରେ ହିନ୍ଦୁ ଓ ମୁସଲିମ୍ ମାନେ ଏକାଠି ପାଳନ କରିଥାନ୍ତି ।