ସରିଲା ଓଟିଇଟିଟି ୨୦୨୨ର ପରୀକ୍ଷା, ଡିଜିଟାଲ୍ ଲକର୍‌ରେ ଓଏମ୍‌ଆର୍‌ ସିଟ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସରିଲା ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୨ର ଦୁଇଟି ପେପର୍ ପରୀକ୍ଷା। ଓଟିଇଟି- ୧ ଏବଂ ଓଟିଇଟି-୨ ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହୋଇଥିଲା। ଚଳିତଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀମାନେ ମଧ୍ୟ ପରୀକ୍ଷା ଦେଇଥିଲେ। ଏଥିଲାଗି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ଆଦିରେ ୩୦୭ କେନ୍ଦ୍ରରେ ପରୀକ୍ଷା ହୋଇଛି। ପରୀକ୍ଷାରେ କୌଣସି ବିଭ୍ରାଟ ହୋଇନଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ବାବଦରେ ସୋସିଆଲ୍ ମିଡିଆରେ ଯେଉଁ ତଥ୍ୟ ଭାଇରାଲ ହୋଇଥିଲା ତାହା ସମ୍ପୂର୍ଣ୍ଣ ମିଛ ଥିଲା ବୋଲି ବୋର୍ଡର ଉପସଭାପତି ଡ.ନିହାର ରଞ୍ଜନ ମହାନ୍ତି କହିଛନ୍ତି।

ପରୀକ୍ଷା ଶେଷ ହେବା ପରେ ସେଣ୍ଟର ସୁପରିଣ୍ଟେଣ୍ଡଣ୍ଚଙ୍କ ଉପସ୍ଥିତିରେ ବୋର୍ଡ କର୍ମଚାରୀମାନେ ଡିଜିଟାଲ୍ ଲକରରେ ଓଏମଆର୍ ସିଟ୍ ରଖିଥିଲେ। ଏହି ଓଏମଆର ସିଟ୍କୁ ବୋର୍ଡ କର୍ମଚାରୀମାନେ ପୋଲିସ ସହାୟତାରେ ରବିବାର ସନ୍ଧ୍ୟା କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚାଇବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପଟେ କଟକ ଓ ଭୁବନେଶ୍ୱରର ୩୨ ଟି ଯାକ ସେଣ୍ଟର ପାଇଁ ଡିଜିଟାଲ୍ ଲକର ବ୍ୟବସ୍ଥା ନଥିବାରୁ ପରୀକ୍ଷା ଶେଷ ହେବା ପରେ ସମ୍ପୃକ୍ତ ସେଣ୍ଟରରୁ ବୋର୍ଡ କର୍ମଚାରୀମାନେ ଓଏମଆର ଉତ୍ତର ସିଟ୍ ସଂଗ୍ରହ କରି ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚାଇଥିଲେ। ସୂଚନାଥାଉକି, ପ୍ରଥମଥର ପାଇଁ ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ଏହି ପରୀକ୍ଷାରେ ସୁଯୋଗ ଦିଆଯାଇଛି। ପୂର୍ବରୁ ଏହି ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ। ତେବେ ଉକ୍ତ ଡିଗ୍ରୀଧାରୀଙ୍କୁ ଓଟିଇଟିରେ ସୁଯୋଗ ଦେବା ଲାଗି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବା ପରେ ଗତ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଜୁଲାଇ ୧ ତାରିଖକୁ ଘୁଞ୍ଚାଇଥିଲେ ବୋର୍ଡ କର୍ତ୍ତୃପକ୍ଷ ।

Leave A Reply

Your email address will not be published.