ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । କାର୍ୟ୍ୟସୂଚନୀ ଅନୁଯାୟୀ ନିର୍ଦ୍ଧାରିତ ସମୟ ପୂର୍ବାହ୍ଣ ପ୍ରାୟ ୧୦ଟା ୧୪ ମିନିଟ୍ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ସଂସଦର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ଉତ୍ସବରେ ଦ୍ରୌପଦୀଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ, ସମସ୍ତ ସାଂସଦ, ସମସ୍ତ ରାଜ୍ୟର ରାଜ୍ୟପାଳ, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେଇଛନ୍ତି ।

ଏଥିପାଇଁ ରାଜଧାନୀ ଦିଲ୍ଲୀ ଏବେ ଚଳଚଞ୍ଚଳ ରହିବା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶପଥ ଗ୍ରହଣ ଉତ୍ସବ ଶେଷରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ । ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତିନି ସେନା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଗୁରୁବାର ଶ୍ରୀମତୀ ମୁର୍ମୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ଆଜିଠୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

 

Leave A Reply

Your email address will not be published.