ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ରେସିଡେଣ୍ଟ ହ୍ୱାଇଟ ହାଉସରୁ ଜବତ ହୋଇଛି ଧଳା ପାଉଡର। ଏହି ପାଉଡରକୁ ପରୀକ୍ଷା କରିବା ପରେ ଏହା ନିଶାଦ୍ରବ୍ୟ କୋକିନ ବୋଲି ପ୍ରମାଣିତ ହୋଇଛି । ଏନେଇ ଆମେରିକାର ଖବରକାଗଜ ‘ୱାସିଂଟନ ପୋଷ୍ଟ’ ମଙ୍ଗଳବାର ଦିନ ଖବର ଛାପିଛି । ଏହି ମାମଲାର ଯାଂଚ ଏବେ ସିକ୍ରେଟ୍ ସର୍ଭିସ ଟିମ କରୁଛି । ୩ ଦିନ ପୂର୍ବରୁ ଏହି ପାଉଡର ହ୍ୱାଇଟ୍ ହାଉସର ଲାଇବ୍ରେରୀରୁ ମିଳିଥିଲା । ଏହାପରେ ହ୍ୱାଇଟ ହାଉସ ଲାଇବ୍ରେରୀର କିଛି ଭାଗ କିଛି ସମୟ ପାଇଁ ଖାଲି କରାଯାଇଥିଲା । ତେବେ ଏନେଇ ବାଇଡେନଙ୍କ ପୁଅ ହଣ୍ଟରଙ୍କ ଉପରେ ସନ୍ଦେହ କରାଯାଇଛି। ହଣ୍ଟର ଏହାକୁ ଲୁଚାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ରବିବାର ରାତି ପ୍ରାୟ ୮.୪୫ରେ ଅନେକଙ୍କ ପ୍ରତି ଉନ୍ମୁକ୍ତ ଥିବା ହ୍ବାଇଟ୍ ହାଉସ୍ର ୱେଷ୍ଟ୍ ଉଇଙ୍ଗ୍ରୁ ‘ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ୍’ମାନେ ଉକ୍ତ ପାଉଡର୍ ଉଦ୍ଧାର କରିଥିଲେ। ଫଳରେ ସ୍ବଳ୍ପ ସମୟ ପାଇଁ ହ୍ବାଇଟ୍ ହାଉସ୍ରୁ ଜନସ୍ଥାନାନ୍ତରଣ କରାଯାଇଥିଲା। ମିଳିଥିବା ଧଳା ପଦାର୍ଥକୁ ତୁରନ୍ତ ପରୀକ୍ଷା କରିବା ଲାଗି ଅଗ୍ନିଶମ ଓ ଜରୁରୀ ସେବା କର୍ମଚାରୀମାନେ ପହଞ୍ଚିଥିଲେ। ସେଗୁଡ଼ିକ କୋକେନ୍ ବୋଲି ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି। କିନ୍ତୁ, କୌଣସି ବିବରଣୀ ନ ଦେଇ ‘ସିକ୍ରେଟ୍ ସର୍ଭିସ୍’ କେବଳ କହିଛି କି, ଉଦ୍ଧାର କରାଯାଇଥିବା ପଦାର୍ଥର ପରୀକ୍ଷା କରାଯାଇଛି। ଏ ପଦାର୍ଥ ହ୍ବାଇଟ୍ ହାଉସ୍କୁ କିପରି ଆସିଲା ସେ ବିଷୟରେ ତଦନ୍ତ କରାଯିବ ବୋଲି ରାଷ୍ଟ୍ରପତିଙ୍କ ନିରାପତ୍ତା ଦାୟିତ୍ବରେ ଥିବା ‘ସିକ୍ରେଟ୍ ସର୍ଭିସ୍’ କହିଛି। ଉକ୍ତ ପାଉଡର୍ ଉଦ୍ଧାର କରାଯିବା ସମୟରେ ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ବାଇଟ୍ ହାଉସ୍ରେ ନ ଥିଲେ। ସପ୍ତାହାନ୍ତ ବିତାଇବା ପାଇଁ ଶୁକ୍ରବାର ଦିନ ସପରିବାର ସେ କ୍ୟାମ୍ପ୍ ଡେଭିଡ୍ ଯାଇଥିଲେ।