ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ଯାଏ ରାଜ୍ୟରେ ଆହୁରି ବର୍ଷିବ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ଯାଏ ରାଜ୍ୟରେ ଆହୁରି ବର୍ଷିବ।  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଏହି ଦୁଇ ପାଣିପାଗ ନିୟାମକ ପ୍ରଭାବରେ ରାଜ୍ୟ‌ର ଅଧିକାଂଶ ଜିଲ୍ଲାରେ ସୋମବାର ଦିନ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୮ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର କହିଛି ଯେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରବାହ ଯୋଗୁଁ ମୋଟ ୨୭.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ୧୩.୫ ମିମି ତୁଳନାରେ ୧୦୩% ଅଧିକ।

ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ ସୋମବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୮ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷାଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୯ ତାରିଖ ଦିନ ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହିଭଳି ବର୍ଷା ଜାରି ରହିବ। ୨୦ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହୁଛି। ଫଳରେ ଜୁନ୍‌ ଓ ଜୁଲାଇ ୧୪ ତାରିଖ ଯାଏ ରାଜ୍ୟରେ ହୋ‌ଇଯାଇଥିବା ନିଅଣ୍ଟିଆ ବର୍ଷା ସ୍ଥିତି ଏହି ବର୍ଷାରେ ଭରଣା ହୋଇଯିବ ବୋଲି ଆଶା କରାଯାଉଛି। ଆଜି ରାଜଧାନୀ ଭୁବନେଶ୍ବର‌ରେ ପାଗ ମେଘୁଆ ରହିବ।

Leave A Reply

Your email address will not be published.